ପରମ ପୁରୁଷ ହେ ତୁମ୍ଭଙ୍କୁ ମୁହିଁ
କରୁଛି କୋଟି ଗୁହାରି ,
ନିର୍ବେଦ ସାଧକ ହେଲ ବୋଧିସତ୍ତ୍ଵ
ସନ୍ଥକବି ଭୀମଭୋଇ ।୧।

ସାଧନା ବଳରେ ପ୍ରାପ୍ତ କଲ ଜ୍ଞାନ
ଏ ଧରା ଉତ୍କଳ ଧାମେ ,
ମାନବ ଜୀବନ ମୁକ୍ତି ଦାନକଲ
ମହିମା ଧରମ ବଲେ ।୨।

ନ ଅବା ପୁରୁଷ ନାରୀ ଭେଦ ନାହିଁ
ଗଢ଼ିଲ ସମାଜ ବନ୍ଧ ,
ମନୁବାଦୀ ବନ୍ଧ କରିଦେଲ ଛିନ୍ନ
ଅଲେଖ ନାମେ ବିଜୟ ।୩।

ପୂଜା-ବିଧି ବୋଳେ ଶୋଷଣ ଶିକାର
ହୋଇ ଯାଇଥିଲୁ ଆମେ ,
ସୂର୍ଯ୍ୟାଲୋକ ପ୍ରାୟେ ଦେଇଗଲ ଜ୍ଞାନ
ଅନ୍ଧାର ଦୂରିତ କ୍ଷୟେ ।୪।

ସମାଜେ ମଣିଷ ଥିଲା ଭିନ୍ନ ଭିନ୍ନ
ଆର୍ଯ୍ୟନୀତି ଅନୁସାରେ ,
ସୁନାର ଭାରତ କଲେ ଖଣ୍ଡ ଖଣ୍ଡ
କୁବୁଦ୍ଧି- କୁନୀତି ବଲେ ।୫।

ଲେଖିଲେ ପୁରାଣ ପଣ୍ଡିତ ମହାନ
କରି ଆର୍ଯ୍ୟ ଜୟଗାନ ,
ଭାଷାର ମାଧ୍ୟମେ ହେଲେ ଅପମାନ
ଆମ୍ଭ ଆଦିବାସୀ ବୀର ।୬।

ଏହି ମାଟି- ପାଣି ଆକାଶ- ପାତାଳ
ଆମ୍ଭ ଇଷ୍ଟ ଦେବା- ଦେବୀ ,
ପୂଜିତ ଭାରତେ ଭେଦ ଭାବ ଶୂନ୍ୟେ
ସମ ଭାବେ ସମ ପରି ।୭।

କିଏ ସେ ବ୍ରାହ୍ମଣ କିଏ ସେ କ୍ଷତ୍ରିୟ
କିଏ ଅବା ବୈଶ୍ୟ- ଶୂଦ୍ର ,
ଆମ୍ଭରି ସମାଜେ ନ ଥିଲା ପ୍ରଭେଦ
କିଏ ସେ ଗଢିଲା ଏ ବ୍ରତ ।୮।

ଗଢ଼ିଥିଲେ ପ୍ରଭୁ ଆମ୍ଭ ସମସ୍ତଙ୍କୁ
ଭାଇ- ଭଉଣୀ ସମସ୍ତେ ,
ଭାଇ ଭାଇ ମଧ୍ୟେ ପ୍ରଭେଦ କିମ୍ପାରେ
କେଉଁ ଧର୍ମ ନୀତି ବଳେ ?।୯।

ଥିଲା ଏ ସମାଜ କୁକର୍ମେ ମିଶ୍ରିତ
ନିନ୍ଦା ଅପମାନ ବଳେ ,
ଆସିଲେ ଗୋସ୍ୱାମୀ ଧରା କୋଳେ ଜନ୍ମି
ଜୀବ କଲ୍ୟାଣ ନିମନ୍ତେ ।୧୦।

ଏ ମାଟି- ପବନ ଜୟ ଗାଉଥିବ
ତୁମ୍ଭ ନାମ ଭୀମ ଭୋଇ ,
ପାଣି କରି ରକ୍ତ କରିଗଲେ ଶକ୍ତ
ନୂତନ ଚେତନା ଦେଇ ।୧୧।

କରିଲେ ସଙ୍ଗ୍ରାମ କ୍ରାନ୍ତିକାରି କବି
ଜୀବନେ ଯନ୍ତ୍ରଣା ଭୋଗି ,
ରାଜ୍ୟଦ୍ରୋହି ପାପ କରିଲ ଗ୍ରହଣ
ସମାଜ ମଙ୍ଗଳ ପାଇଁ ।୧୨।

ଜୀବନେ ମରଣ ଏହା ହିଁ ଅକାଟ୍ୟ
କାହାକୁ ଅବା ଅଛ୍ଛପା ,
ମୃତ୍ୟୁର ସ୍ଵାଦକୁ ଚାଖି କ୍ରାନ୍ତିକବି
ରହିଲେ ଅମର ପରା ।୧୩।

ମଣିଷ ଜୀବନେ ଆଧ୍ୟାତ୍ମିକ ଚେତା
ବୈଜ୍ଞାନିକ ମତ ଦେଇ ,
ମହିମା ଅଲେଖ ଧରମ ମାତର
ପ୍ରମାଣ ଦିଅନ୍ତି ସେହି ।୧୪।

ଅଣାକାର ରୂପେ ଅନାଦି ମନ୍ଦିରେ
ମହାମା- ଗୋସ୍ଵାମୀ ଦ୍ଵୟ ,
ଜଗତ ଜୀବନ କରନ୍ତି ତାରଣ
ସର୍ବ ଘଟ ଦୀପ ମୟ ।୧୫।

କରିଲେ ପ୍ରଚାର ମହିମା ଧରମ
ମାନବ ସମାଜ ମଧ୍ୟେ ,
ଶୋଷିତ ମାନବ କି’ ଅବା ବୁଝିବ
ମହିମା ଧରମ ପଦେ ।୧୬।

କରିଲେ ସ୍ଥାପନ ଦାସଙ୍କ ନିମିତ୍ତ
ମହିମା ଧରମ ମଠ ,
ପୂଜା- ବିଧି ଶୂନ୍ୟ କଲେ ଅଧ୍ୟୟନ
ଅଲେଖ ଅମର ପାଠ ।୧୭।

ଜ୍ଞାନ ବୋଳେ ଦାସ ପାଇଲେ ସେ ବାଟ
ଅଧର୍ମ- ଅନ୍ୟାୟ କ୍ଷୟ ,
ପୁରାଣ ଦେବତା ହେଲେ ଅପମାନ
ସର୍ବଜନ ସମ୍ମୁକ୍ଷୟ ।୧୮।

କଲେ ଜୟ ଗାନ ମହିମା ଧରମ
ମହି ଧାମେ ନର- ନାରୀ ,
ଜୟ ଜୟ ସନ୍ଥ କବି ଭୀମ ଭୋଇ
ରକ୍ଷାକର ବିଶ୍ଵବାସୀ ।୧୯।

ରକ୍ଷକ ସାଜିଛି ଭକ୍ଷକ ଏଠାରେ
ମୁକ୍ତି ନ ମିଲଇ ଏଠି ,
ଦେଖ ପାଦ ଚିହ୍ନ ରହିଛି ଗାଦିରେ
ଭୀମ ନାମେ ଯିବା ତରି ।୨୦।

ପରକୁ ଆପଣା କଲେ କିସ ହେବ
ମାଉସୀ ହେବକି ମାଆଁ ,
ଆପଣା ଗୁରୁଙ୍କୁ ଅଣ ଦେଖା କଲେ
ଥୋଇ ପାରିବ କି ପାହା ?।୨୧।

ଧର ସେ ନୀତିକୁ ଲେଖା ଅଛି ଯହୁଁ
‘ସ୍ତୁତି ଚିନ୍ତାମଣି’ ଗୀତା ,
‘ ନିର୍ବେଦ ସାଧନ’ କଲେ ଅଧ୍ୟୟନ
‘ପଦ୍ମକଳ୍ପ’ ହେବ ସଖା ।୨୨।

କରିଲି ଆରମ୍ଭ ଅଲେଖ ଜୀବନ
‘ବ୍ରହ୍ମ ଚାଳକ’ ବୀହାରୀ ,
ଆଶୀର୍ବାଦ କର ମହିମା ଗୋସାଇଁ
ଦାସ ଦେବାଶିଷ ମୁହିଁ ।୨୩।

———- ( 0 ) ———-

କବି: ଦେବାଶିଷ ସାଗର, ଜି.ଏମ୍ ବିଶ୍ୱବିଦ୍ୟାଳୟ, ସମ୍ବଲପୁର