ମୋ କବିତାର ପ୍ରତିଟି ପଂକ୍ତିରେ
ଉତଭାଷିତ ହେବ
ବିର୍ଷା ମୁଣ୍ଡର ଉଳଗୁଲାନର ସ୍ୱର ।।
ପ୍ରତିଟି ଶବ୍ଦରେ ଝଲସି ଯିବ
ରେଣ୍ଡୋ ମାଝୀ ତିଲକ ମାଝୀର
ବିଦ୍ରୋହର ଇସ୍ତାହାର ।।

ମୋ କବିତାର ପ୍ରତ୍ୟେକ ପଂକ୍ତିରେ
ବଖାଣି ଦେବି ଶିକ୍ଷା କ୍ରାନ୍ତିର କଥା ।।
ମାତା ସାବିତ୍ରୀ ବାଇଙ୍କ
ବଳିଦାନ ତ୍ୟାଗର ବାର୍ତ୍ତା ।।

ମୋ କବିତାରେ ଝଲସି ଯିବ
ଜ୍ୟୋତିବା ଫୁଲେଙ୍କ ସମାଜ ଜାଗରଣ ।।
କବିତାରେ ବଖାଣି ଦେବି
ବାବା ସାହେବଙ୍କ ବିପ୍ଳବର ନିଦର୍ଶନ ।।

ମୋ କବିତାର ପ୍ରତିଟି ପୃଷ୍ଠାରେ
ଭରି ରହିବ ବିଦ୍ରୋହର ପଦଚିହ୍ନ।।
ବଖାଣିବି ଦରଦୀ ଆଦିବାସୀର କୋହ
ବିକାଶ ର ଆଳରେ ଯେବେ ହୁଏ ବିସ୍ଥାପନ ।।

ମୋ କବିତା ମାଧ୍ୟମେ କରିବି
ପାଖଣ୍ଡତା ଜାତିବାଦର ଶୃଙ୍ଖଳ ଛେଦନ ।।
ମୋ ଲେଖନୀ ରୂପୀ ତରବାରୀ
ହାଣିଦେବ ସେ ଦସ୍ତାବିଜକୁ,
ଯିଏ ମଣିଷକୁ ଦିଏ ଦଳିତର ଆଖ୍ୟା
ଭାବେ ଇତରଠୁ ହୀନ।।

ମୋ କବିତାର ପ୍ରତି ପଂକ୍ତିରେ
ରହିବ ପେରିୟାର ସ୍ୱାମୀଙ୍କ ବୈପ୍ଳବିକ ଚିନ୍ତନ ।।
ଲିଭେଇ ଦେବି ପାଖଣ୍ଡତାର ଚିହ୍ନ
ଧର୍ମ ନାଆରେ ଶୋଷଣ କଷଣ ।।

ମୋ କବିତା କହିବ
ଦାରିଦ୍ରତାର କଥା,
କବିତାର ରୂପ ନେବ
ଦାଦାନର କଷଣ ।।
ନିତିପ୍ରତି ଚଳେଇବି ଲେଖନୀ,
ଯେ ପର୍ଯନ୍ତ ଖୋଲିବନି
ସୁପ୍ତ ସମାଜର ନୟନ ।।

ମୋ କବିତାର ପ୍ରତି ପଦ କହିବ
ନାରୀ ସମ୍ମାନ ନାରୀବାଦର କଥା ।।
ଲେଖନୀ ମୋ କରିବି ସ୍ୱରୋତ୍ତଳନ
ଭାଙ୍ଗିବାକୁ ଅନ୍ଧବିଶ୍ୱାସ କୁସଂସ୍କାରର ପ୍ରଥା ।।

ମୋ ଲେଖନୀକୁ ପାରିବନି ରୋକି
ଯେତେ ଆସୁ ବାଧାବିଘ୍ନ ଝାଂଜିତୋଫାନ ।।
ନିରବାଛିନ୍ନ ଚଳାଇବି ଲେଖନୀ
ପୂର୍ଣ୍ଣ କରିବାପାଇଁ ବାବା ସାହେବଙ୍କ ସ୍ବପ୍ନ,
ପ୍ରବୁଦ୍ଧ ସମାଜ ଗଠନ ।।

One thought on “କ୍ରାନ୍ତିର ସ୍ୱର”

Comments are closed.