ଭାରତୀୟ ଇତିହାସର ଗଭୀରତାକୁ ଯାଇ ତର୍ଜମା କଲେ ବ୍ରାହ୍ମଣବାଦୀ ସମାଜର କୁସଂସ୍କାର, କୁପ୍ରଥା ଓ ଅନ୍ୟାୟ ଅତ୍ୟାଚାର ର ସତ୍ୟତା ଉଜାଗର ହୋଇଥାଏ । ଯଥା:- ଧର୍ମ, ଜାତି, ଅନ୍ଧ ବିଶ୍ୱାସ, ଲିଙ୍ଗ ଗତ ଭେଦ ଭାବ ଓ ବହୁ ଗୁଡ଼ାଏ କୁସଂସ୍କାର ପ୍ରଚୁର ମାତ୍ରାରେ ପ୍ରଚଳିତ ଥିଲା, ଯାହା ବର୍ତମାନ ପର୍ଯ୍ୟନ୍ତ ପ୍ରଚଳିତ ଅଟେ । ସବର୍ଣ ଜାତିର ଲୋକମାନେ ବର୍ଷ ବର୍ଷ ଧରି ଶୁଦ୍ର ଅତିଶୁଦ୍ର ଓ ନାରୀ ମାନଂକୁ ଶୋଷଣ ଓ ଅତ୍ୟାଚାର କରିଆସୁଥିଲେ। ଏହି ସମାଜକୁ ସାମାଜିକ ଅଧିକାର ଓ ଶିକ୍ଷ୍ୟା ଗ୍ରହଣ କରିବାରୁ ବଂଚିତ ରଖିଥିଲେ । ଯାହାଦ୍ୱାରା ଅନେକ ବର୍ଷ ଧରି ବହୁଜନ ସମାଜକୁ ବ୍ରାହ୍ମଣବାଦ ଓ ନାରୀ ମାନଙ୍କୁ ପୁରୁଷବାଦର ଗୁଳାମ ହେଇକି ରଖାଯାଇଥିଲା ।

ଶିକ୍ଷ୍ୟା ବିନା ମଣିଷ ନିଜର ଅସ୍ତିତ୍ବ କୁ ଜାଣି ପାରେ ନାହିଁ ଓ ନିଜ ଦାସତ୍ୱକୁ କେବେ ବି ବୁଝିପାରେ ନାହିଁ । ପ୍ରଚଳିତ ଜାତିବାଦ, ପୁରୁଷବାଦୀ ହିଂସା, ଅସମାନତା, ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ଛିନ୍ନ ବିଛିନ୍ନ କରି ମୁଳରୁ ପୁର୍ଣଛେଦ ପକେଇବା ପାଇଁ ଆଧୁନିକ ଭାରତରେ ଜଣେ ମହାମାନବ ଜନ୍ମ ଗ୍ରହଣ କରିଥିଲେ, ଯେ ବର୍ତ୍ତମାନ ମହାତ୍ମା ଜୋତିବା ଫୁଲେ ନାମରେ ଓ ନାରୀ ଶିକ୍ଷାର ପୁରୋଧା ଭାବରେ ପରିଚିତ । ଜୋତିବାଙ୍କ ଜନ୍ମ ୧୧ ଏପ୍ରିଲ, ୧୮୨୭ ମସିହା ଏକ ମାଳି ପରିବାରରେ ହୋଇଥିଲା। ତାଙ୍କ ଜନ୍ମ ମହାରାଷ୍ଟ୍ରର କଟଗୁଣ ଗ୍ରାମ, ଯାହା ସାତାରା ଜିଲ୍ଲା ରେ ଅବସ୍ଥିତ ହୋଇଥିଲା।

କିନ୍ତୁ, ବ୍ରାହ୍ମଣ ମାନଙ୍କ ଅତ୍ୟଧିକ ଅତ୍ୟାଚାର ଯୋଗୁ ତାଙ୍କ ପିତା ମାତା ଗ୍ରାମ ଛାଡି ପୁନାରେ ବସ ବାସ କରୁଥିଲେ । ଯେତେବେଳେ ଜୋତିବା ଫୁଲେଙ୍କୁ ୯ ମାସ ହେଉଥିଲା ସେତେବେଳେ ତାଙ୍କ ମାତା ଚି଼ମନା ବାଇଙ୍କ ମୃତ୍ୟୁ ବରଣ ହୋଇଥିଲା। ତାଙ୍କ ପିତା ଗୋବିନ୍ଦରାଓ ଫୁଲେ ପନିପରିବ ବିକି ନିଜ ପରିବାର ର ଭରଣ ପୋଷଣ କରୁଥିଲେ । ଜୋତିବା ବାଲ୍ୟ କାଳରୁ ଏକ ବୁଦ୍ଧିମାନ ଓ ଗୁଣଵାନ ଛାତ୍ର ଥିଲେ । ସେ ସମୟରେ ଶୁଦ୍ର ତଥା OBC ମାନଂକୁ ଏବଂ SC, ST ମାନଙ୍କୁ ଶିକ୍ଷାର ଅଧିକାର ନ ଥିଲା। ହେଲେ ଇଂରେଜ୍ ଶାସନ ସମୟରେ ଶିକ୍ଷାର ପାହାଚ ଏହି ଶୁଦ୍ର ଅତିଶୁଦ୍ରା ସମାଜ ପାଇଁ ଖୋଲିଥିଲା । କିନ୍ତୁ ଆର୍ଥିକ ସ୍ଥିତି ସକ୍ଷମ ନଥିବାରୁ ଫୁଲେଙ୍କୁ ପ୍ରାଥମିକ ଶିକ୍ଷା ପରେ ପାଠ ପଢା ଛାଡିବାକୁ ପଡିଥିଲା । ବାଲ୍ୟାବସ୍ଥାରୁ ନିଜ ପିତାଙ୍କ ସହ ସେ କୃଷିକାର୍ଯ୍ୟରେ ସାହାଯ୍ୟ କରୁଥିଲେ । ପରେ ସେ ୧୮୪୧ ମସିହାରେ ଈଶାହୀ ମାନଙ୍କ ସାହାଯ୍ୟରେ ସ୍କଟିସ୍ ମିସନ ହାଇସ୍କୁଲ (Scottish Mission’s High School) ରେ ଭର୍ତି ହୋଇ ଇଂରାଜି ଶିକ୍ଷା ସମାପ୍ତ କରିଥିଲେ । ବାଲ୍ୟ ବିବାହ ଭଳି କୁପ୍ରଥାର ପ୍ରଚଳିତ ଥିବାରୁ ତାଙ୍କୁ ୧୩ ବର୍ଷ ବୟସରେ ବିବାହ କରାଇ ଦିଆଯାଇଥିଲା ସାବିତ୍ରୀ ବାଇଙ୍କ ସହ, ଯେ କେବଳ ୯ ବର୍ଷର ଥିଲେ।

୧୮୪୮ ମସିହାରେ ସେ ତାଙ୍କ ଏକ ବ୍ରାହ୍ମଣ ସାଙ୍ଗ ଘରକୁ ବାହାଘରରେ ଉପସ୍ଥିତ ହେବାପାଇଁ ଯାଇଥିଲେ କିନ୍ତୁ ସେଦିନର ଘଟଣା ଜୋତିବାଙ୍କ ଜୀବନରେ ଏକ ବଡ ଆଘାତ ଦେଇଥିଲା । ଯେହେତୁ ସେ ମାଳି ଜାତିର (OBC) ଥିଲେ, ତାଙ୍କୁ ଘୋର ଅପମାନର ସାମ୍ନା କରିବାକୁ ପଡିଥିଲା। ସମସ୍ତ ନିମନ୍ତ୍ରିତ ବ୍ୟକ୍ତିଙ୍କ ସାମ୍ନାରେ ତାଙ୍କୁ ଶୁଦ୍ର ଜାତିର ବୋଲି ଲଜ୍ଜିତ ଓ ଅଭଦ୍ର ଭାଷାରେ ଗାଳିକରି ଅପମାନିତ କରାଯାଇଥିଲା । ଏହି ଘଟଣା ତାଙ୍କ ଆତ୍ମ ସମ୍ମାନ ପ୍ରତି ଆଘାତ ପହଞ୍ଚାଇଥିଲା । ସେ ହୃଦୟଙ୍ଗମ କରିପାରିଥିଲେ ଯେ ବ୍ରାହ୍ମଣବାଦୀ ସମାଜରେ ପଛୁଆ ବର୍ଗ ତଥା ଶୁଦ୍ର ଓ ଅତି ଶୁଦ୍ର ମାନଙ୍କ ଉପରେ ଜାତି ଭେଦଭାବର ପ୍ରଭାବ କେତେ ବର୍ବର ଓ ନିଷ୍ଠୁର । ତାପରେ ଜୋତିବା ଦୃଢ ସଂକଳ୍ପନା କରିଥିଲେ ଯେ ଜାତି ଭେଦ ଭାବ, ଲିଙ୍ଗଗତ ଭେଦ ଭାବ ଓ କୁପ୍ରଥା ବିରୁଦ୍ଧରେ ଲଢେଇ କରି ଏକ ସମତା ମୂଳକ ଓ ଭେଦଭାବ ମୁକ୍ତ ସମାଜ ଗଠନ କରିବାପାଇଁ ଓ ପଛୁଆ ବର୍ଗ (SC / ST/OBC) ମାନଙ୍କ ଉତ୍ଥାନ ପାଇଁ ନିଜର ଜୀବନକୁ ସମର୍ପିତ କରିବାକୁ ।

ନାରୀ ସଶକ୍ତିକରଣ ଓ ନାରୀ ମୁକ୍ତି ପାଇଁ କାର୍ଯ୍ୟାବଳୀ:-

ଯେଉଁ ସମୟରେ ନାରୀ ନିଜ ଇଚ୍ଛାକୁ ପ୍ରକାଶ କରିବାର ସାହସ ନଥିଲା ଓ ମନୁସ୍ମୃତୀ ଅନୁସାରେ ସବର୍ଣ ଜାତିର ନାରୀ କେବଳ ପୁରୁଷର ଗୋଟିଏ ଦାସ ଭାବେରେ ସମାଜରେ ପରିଗଣିତ ଥିଲା, ସେହି ସମୟରେ ଶିକ୍ଷ୍ୟାର କଥା ଭାବିବା ନାରୀ ପାଇଁ ଏକ ଅକଳ୍ପନୀୟ କଥା ଥିଲ । ଯଦି କେହି ନାରୀ ଓ ଶୁଦ୍ର ଅତିଶୁଦ୍ରା ସମାଜର ଲୋକ ଶିକ୍ଷା ଗ୍ରହଣ କଲେ ତାକୁ ଧର୍ମ ଭ୍ରଷ୍ଟ ହେଲା ବୋଲି କୁହାଯାଉଥିଲା। ପାଠକମାନେ ଚିନ୍ତା କରିପାରୁଥିବେ ସେଭଳିଆ ପରିସ୍ଥିତିରେ ନାରୀ ମୁକ୍ତି ଓ ନାରୀ ଅଧିକାର ପାଇଁ ଲଢେଇକରିବା କେତେ ମୁସ୍କିଲର କାର୍ଯ୍ୟ ହୋଇଥାଇପାରେ ।

ସ୍ବାର୍ଥୀ ଓ ଲୋଭୀ ପୁରୁଷ ନିଜ ସ୍ୱାର୍ଥ ପାଇଁ ନାରୀର ଶରୀରକୁ ସଦା ସର୍ବଦା ନିଜ ନିୟନ୍ତ୍ରଣରେ ରଖି ଆସୁଥିଲା। ନାରୀର ଦାସତ୍ବ ପରିସ୍ତିତି ଓ ତା ପଛରେ ଥିବା କାରଣକୁ ଜୋତିବା ବହୁତ ଭଲ ଭାବରେ ବୁଝି ପରୀଥିଲେ ଓ କହୁଥିଲେ ସେହି କୁପ୍ରଥା ଓ ଅମାନବୀକତାରୁ ମୁକ୍ତି ପାଇବାକୁ କେବଳ ଶିକ୍ଷ୍ୟା ହିଁ ଏକ ମୂଳଭୂତ ହତିଆର ଭାବରେ କାର୍ଯ୍ୟ କରିପାରେ । ନାରୀ ମୁକ୍ତି ଓ ଅଧିକାର ପାଇଁ ଜୋତିବା ଫୁଲେ, ତାଙ୍କ ସ୍ତ୍ରୀ ସାବିତ୍ରୀବାଇଙ୍କ ସହ ମିଶି ସ୍ୱର ଉତ୍ତୋଳନ କରିବାପାଇଁ ସାହଶ ଦେଖେଇଥିଲେ । ଯାହାଫଳରେ ତାଙ୍କୁ ସାମାଜିକ ବାଛନ୍ଦ ହେବାର ସାମ୍ନା କରିବାକୁ ପଡିଥିଲା ଓ ଅପମାନ ସହିବାକୁ ପଡିଥିଲା । କିନ୍ତୁ, ଏହା ସତ୍ବେ ସେ କେବେ ପଛଘୁଞ୍ଚା ନଦେଇ ଏକ ସମତାବାଦୀ ସମାଜ, ଜାତି ଓ ଲିଙ୍ଗ ବିହୀନ ସମାଜ ଗଠନ କରିବାରେ ପ୍ରୟାଶରତ ଥିଲେ ଯାହାଫଳରେ ସେ ହିନ୍ଦୁ ଧର୍ମ, ଶାସ୍ତ୍ର ର ଢାଞ୍ଚାକୁ ସମ୍ପୂର୍ଣ ଭାବେ ତ୍ୟାଗ କରିଥିଲେ ।

ଯେଉଁ ଧର୍ମରେ ପଛୁଆ ବର୍ଗ ତଥା ଶୁଦ୍ର, ମହିଳା ଓ ଅତି ଶୁଦ୍ରମାନେ ଶିକ୍ଷ୍ୟା ଗ୍ରହଣ କଲେ ଏକ ଅପରାଧ ମନେ କରାଯାଉଥିଲା ଓ ଦଣ୍ଡ ଦିଅଯାଉଥିଲା, ସେହି ହିନ୍ଦୁ ଧର୍ମ, ଓ ଶାସ୍ତ୍ର ବିରୋଧରେ ଯାଇ ଶୁଦ୍ର ସମାଜ ଓ ନାରୀମାନଙ୍କୁ ଶିକ୍ଷ୍ୟା ପ୍ରଦାନ କରିବାର ନିଷ୍ପତ୍ତି ନେଇ ଏକ କ୍ରାନ୍ତିର ଆଲୋକ ଆଣିଥିଲେ ଜୋତିବା ଓ ସାବିତ୍ରୀବାଇ ଫୁଲେ । ସର୍ବପ୍ରଥମେ ଜୋତିବା ନିଜ ସ୍ତ୍ରୀ ସାବିତ୍ରୀବାଇ ଫୁଲେଙ୍କୁ ପାଠପଢାଇ ଶିକ୍ଷିତ କରିଥିଲେ ଓ ସମସ୍ତ ଜାତିର ମହିଳା ମାନଙ୍କୁ ଶିକ୍ଷ୍ୟା ପ୍ରଦାନ କରିବାପାଇଁ ଉତ୍ସାହିତ କରି ସମସ୍ତ ପ୍ରକାରର ସହଯୋଗ କରିଥିଲେ । ଯାହାଦ୍ୱାରା ସାବିତ୍ରୀବାଇ ଫୁଲେ ଦେଶର ପ୍ରଥମ ଶିକ୍ଷୟତ୍ରୀ ହୋଇପାରିଥିଲେ । ୧୮୪୮ ମସିହାରେ ଜୋତିବା ଓ ସାବିତ୍ରୀବାଇ ଏକାଠି ମିଶି ପ୍ରଥମ ସ୍କୁଲ ବାଳିକା ଓ ମହିଳା ମାନଙ୍କ ପାଇଁ ଆରମ୍ଭ କରିଥିଲେ ପୁନେ/ପୁନା ରେ । ୧୮୫୧ ମସିହାରେ ଆଉ ଏକ ବାଳିକା ସ୍କୁଲ ସ୍ଥାପନ କଲେ ଓ ଜୋତିବା ତାଙ୍କ ସ୍ତ୍ରୀ ସାବିତ୍ରୀବାଇଙ୍କୁ ସ୍କୁଲ ରେ ଶିକ୍ଷୟତ୍ରୀ ଭାବରେ ପାଠ ପଢ଼େଇବାକୁ ଉତ୍ସାହିତ କରିଥିଲେ । ତାପରେ ଆଉ ଦୁଇଟି ବାଳିକା ବିଦ୍ୟାଳୟ ର ସ୍ଥାପନ କରିଥିଲେ ମହାରଷ୍ଟ୍ରର ପଛୁଆ ଜାତି ତଥା “ମାହାର” ଓ “ମାଙ୍ଗ” ମାନଙ୍କ ପାଇଁ ।

ଯେମିତି ମୁ ପ୍ରଥମରୁ କହୁଥିଲି ଶିକ୍ଷ୍ୟା ବିନା ମଣିଷ ନିଜର ଅସ୍ତିତ୍ବ କୁ ଜାଣି ପାରେ ନାହିଁ ଓ ନିଜ ଗୁଳାମି କୁ କେବେ ବୁଝିପାରେନାହିଁ । ଠିକ ସେହିପରି ନାରୀମାନଙ୍କୁ ଶିକ୍ଷାରୁ ବଂଚିତ କରିଥିବାରୁ ନାରୀମାନେ ନିଜ ଗୁଳାମିକୁ ବୁଝି ପାରିନଥିଲେ ଓ ହିନ୍ଦୁଧର୍ମ ର ବାଲ୍ୟ ବିବାହ ପ୍ରଥା, ସତୀ ଦାହ ପ୍ରଥା, ବିଧବା କେଶ ମୁଣ୍ଡନ ପ୍ରଥାର ଶିକାର ହୋଇ ଏକ ଗୁଳାମୀର ଜୀବନ ବ୍ୟତୀତ କରୁଥିଲେ ।

ହେଲେ ଫୁଲେ ଦମ୍ପତି ବୁଝି ପାରିଥିଲେ ଯେ ଯେତେଦିନ ପର୍ଯ୍ୟନ୍ତ ଏସବୁ ପ୍ରଥା ପାରମ୍ପରିକ ଭାବେ ପାଳିତ ହେଉଥିବ ସେତେଦିନ ପର୍ଯ୍ୟନ୍ତ ଏହାକୁ ସମାପ୍ତ କରିବା ଅସମ୍ଭବ ଅଟେ । ସେଇଥିପାଇଁ ୧୮୫୪ ମସିହାରେ ଏକ ଅନାଥ ଆଶ୍ରମ ତିଆରି କଲେ ଓ ୧୮୬୩ ମସିହାରେ ବିଧବା ମହିଳା ଆଶ୍ରମ ତିଆରିକରି ନାରିମାନଙ୍କୁ ହିନ୍ଦୁ ଧର୍ମର ଜନ୍ଜାଲରୁ ମୁକ୍ତି ପାଇବାପାଇଁ ବୁଝାଉଥଲେ ଓ ତା ସଂଗେ ସଂଗେ ବିଧବା ମହିଳା ମାନଙ୍କୁ ପୁନର୍ବିବାହ ପାଇଁ ଉତ୍ସାହିତ କରୁଥିଲେ । ଏହି ମହିଳା ମାନଂକ ମଧ୍ୟରେ ଅତ୍ୟାଧିକ ଥିଲେ ସବର୍ଣ ଜାତିର ପରିବାରରୁ ବିତାଡିତ ବିଧବା ମହିଳା। କାରଣ ସେ ସମୟରେ ଏହି ଅନେକ କୁ ପ୍ରଥା ଯଥା:- ବାଲ୍ୟ ବିବାହ, ସତିଦାହ ପ୍ରଥା, ବାଲ୍ୟ ବିବାହ ପ୍ରଥା, ବିଧବା ପ୍ରଥା ଏତ୍ୟାଦୀ ସବର୍ଣ ଜାତି ମାନଂକରେ ଅଧିକାଂସ ମାତ୍ରାରେ ପ୍ରଚଳିତ ଥିଲା।

ଜ୍ୟୋତିବ ଓ ସାବିତ୍ରୀବାଇ ଫୁଲେ ହିନ୍ଦୁ ଧର୍ମର ବେଦ, ପୁରାଣ, ଗୀତାକୁ ବହିଷ୍କାର କରି ଶୁଦ୍ର, ଅତିଶୁଦ୍ର ଓ ନାରିମାଙ୍କ ମୁକ୍ତି ପାଇଁ ଏକ ନୂତନ ମାର୍ଗ ଦେଖାଇଥିଲେ । ୧୮୭୩ ମସିହାରେ ଜୋତିବା “ସତ୍ୟ ସୋଧକ ସମାଜ” (Truth Seeking Society) ର ଗଠନ କରି ପଛୁଆବର୍ଗ ତଥା ଶୁଦ୍ର ଅତିଶୁଦ୍ର ସମାଜକୁ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ଏବଂ ଜାତି ଭେଦଭାରୁ ମୁକ୍ତି କରି ଏକ ସମାନତା ଓ ମାନବତାବାଦ ପଥରେ ନେବା ପାଇଁ ମାର୍ଗ ଦର୍ଶନ କରେଇଥିଲେ । ଜୋତିବା ଓ ସାବିତ୍ରୀବାଇ ଦୁହେଁ ତାଙ୍କ ଜୀବନକୁ ପଛୁଆବର୍ଗ ଓ ନାରୀ ମାନଙ୍କ ଉନ୍ନତି ପାଇଁ ସମର୍ପିତ କରିଦେଲେ ଓ ସମାଜକୁ ଏକ ନୂତନ ସନ୍ଦେଶ ଦେଇଗଲେ ଯେ, ମାନବିକ ଅଧିକାର ଓ ଶିକ୍ଷା ର ଅଧିକାର ସମସ୍ତ ମଣିଷକୁ ଜନ୍ମରୁ ମିଳିବା ଉଚିତ ନା କି ଜାତି, ଧର୍ମ ଓ ଲିଙ୍ଗ ଆଧାରରେ । ଯାହାଫଳରେ ଆଜି ପଛୁଆ ବର୍ଗ ଓ ମହିଳା ମାନେ ଉଚ୍ଚ ଶିକ୍ଷ୍ୟା ଗ୍ରହଣ କରି ଏକ ସମ୍ମାନିତ ଜୀବନ ଜାପାନ କରୁଛନ୍ତି । ଏଥିରୁ ଏହା ପ୍ରମାଣିତ ହୁଏ ଯେ କେବଳ ଶିକ୍ଷ୍ୟା ହିଁ ଏକ ମାତ୍ର ରାସ୍ତା ସମସ୍ତ ପ୍ରକାର ର କୁସଂସ୍କାର, ଅନ୍ଧବିଶ୍ୱାସ ଓ ଅମାନବିକତାରୁ ମୁକୁଳିବା ପାଇଁ ।

ଯାହାକୁ ଆମେ କ୍ରାନ୍ତିକାରୀ ବା ଯୁଗ ପରିବର୍ତନକାରି କହୁ, ତାଙ୍କ ଜୀବନୀ ଅଥବା କାର୍ଯ୍ୟାବଳୀ ବିଷୟରେ କାହିଁକି ସ୍କୁଲ, କଲେଜ କିମ୍ବା ଆମ ପାଠ୍ୟକ୍ରମରେ ଗୋଟିଏ ଧାଡି ମଧ୍ୟ ପଢ଼ିବାକୁ ମିଳେ ନାହିଁ ? ଏଥିରୁ ଆମେ ବୁଝିପାରୁଥିବା ଯେ ଜୋତିବା ଫୁଲେ ଓ ସାବିତ୍ରୀବାଇ ଫୁଲେଙ୍କ ଯେଉଁ କାର୍ଯ୍ୟାବଳି ତଥା ବିଚାରଧାରା ଅଛି, ତାହା ବ୍ରାହ୍ମଣବାଦୀ, ମନୁବାଦି ଏବଂ ପୁରୁଷବାଦି ମାନଙ୍କ ମୁଣ୍ଡ ଉପରେ ଶକ୍ତ ରୂପରେ ଆଘାତ ପକେଇଛି । ବହୁଜନ ଇତିହାସ ସହ ସଂଘର୍ଷକୁ ବହୁଜନ ସମାଜରୁ ଦୁରେଇ ରଖି ସବୁଦିନ ପାଇଁ ସେମାନଂକୁ ଗୁଳାମ ବନେଇ ରଖିବା ହେଲା ଏହି ସବର୍ଣ ସମାଜର ସଡ଼ଯନ୍ତ୍ର । ଯେତେଦିନ ପର୍ଯ୍ୟନ୍ତ ଆମ ସମାଜ ଓ ଯୁବ ପିଢ଼ି, ନିଜ ଇତିହାସ ଓ ସଂଘର୍ଷକୁ ବୁଝିବ ନି, ସେତେଦିନ ପର୍ଯ୍ୟନ୍ତ ବହୁଜନ ସମାଜ ଦାସତ୍ବର ଅନ୍ଧକାର ଛାୟାରେ ଫସି ରହିବ । ଆଜିର ଯୁବପିଢି ଯାହାକୁ ଶିକ୍ଷା ଓ ସୁବିଧାର ସୁଯୋଗ ମିଳିଛି ସେମାନଙ୍କ ଗୋଟେ ଐତିହାସିକ ଦାଇତ୍ବ ରହିବ ଯେ ବହୁଜନ ସମାଜର ଲୁପ୍ତ ଇତିହାସ, ସଂସ୍କୃତି, ଧମ୍ମ ଏବଂ ଆତ୍ମ ସମ୍ମାନକୁ ଖୋଜି ବାହର କରିବ ଏବଂ ଯେଉଁ ଜାତିବିହିନ ସମାଜର ସ୍ବପ୍ନ ବର୍ଷ ବର୍ଷ ଧରି ଆମ ପୁର୍ବ ପୁରୁଷ ତଥା ମହିଳା ମାନେ ଦେଖି ଆସିଛନ୍ତି ସେହି ସ୍ବପ୍ନ ତଥା ଆନ୍ଦୋଳନକୁ ଆଗେଇ ନେବା ।

  • ଲେଖକ ଗୁରୁଦେବ ନନ୍ଦ ବର୍ତ୍ତମାନ ଟାଟା ସାମାଜିକ ବିଜ୍ଞାନ ସଂସ୍ଥା, ଗୌହାଟିରେ ସ୍ନାତକ କରୁଛନ୍ତି ଏବଂ କଳିଙ୍ଗ ମିତ୍ର ସଙ୍ଘଠନର ଜଣେ ସଦସ୍ୟ। ଗୋଟେ ଜାତି ଓ ଭେଦଭାବ ବିହୀନ ସମାଜର ଗଠନ ପାଇଁ ସେ କାର୍ଯ୍ୟାରତ। ଏହି ଇମେଲ ପରିଚୟରେ ତାଙ୍କ ସହିତ ସମ୍ପର୍କ କରାଯାଇ ପାରିବ:- [email protected]