କାହିଁ କେତେ ଯୁଗରୁ

କେତେ ଆଷାଢ଼ ଶ୍ରାବଣର

ବର୍ଷା ଛିଟା ରାତିରୁ

ମାତୃଧର୍ମରେ ବନ୍ଧା ନାରୀ

ଅମୃତ ସିଞ୍ଚେ ତା ଛାତିରୁ

ତା ପାଇଁ ନାହିଁ କିଛି ବି ପାଉଁଣା

ସମାଜରେ ସେ ପୁରୁଷ ଠୁ ଊଣା

ଛୁଆର ଯତ୍ନ ରେ ହିଁ

ତା ହାତ ରୁହେ ବନ୍ଧା

ହାଂଡିଶାଳ ରେ କେବଳ

ତାର ହାତ ରନ୍ଧା

ନିଜକୁ ହରେଇଛି ନାରୀ

ପୁରୁଷ ହାତରେ

ବନ୍ଧା ପଡିଛି ସେ ଆଜି

ଧର୍ମ ଶୃଙ୍ଖଳରେ

******

ଝିଅ ହୋଇ ଜନ୍ମେ ସିଏ

ବାପାଙ୍କର ବୋଝ ହୁଏ

ପରିବାରର ଇଜ୍ଜତ ତା ହାତରେ

ଭୁଲି ନାହିଁ ଭୁଲିବନି, ଏହି ଶିକ୍ଷା ସିଏ

ପିଲା ଦିନୁ ପାଦ ଚାପି

ଚାଲିବା ବି ଶିଖେ

ଦୁଃଖ ଯନ୍ତ୍ରଣା ରେ

ହସିବା ବି ଶିଖେ

ବାହାବେଦି ରେ ବସିଯାଏ ସିଏ

ନିଜ ଅଭିଳାଷ କୁ ମାରି

ନିଜ ସ୍ୱାଧୀନତା କୁ ତଣ୍ଟି ଚିପି ଦିଏ

ବାପା ଭାଇଙ୍କର ମାନ ରକ୍ଷା କରି

ନିଜକୁ ହରେଇଛି ନାରୀ

ପୁରୁଷ ହାତରେ

ବନ୍ଧା ପଡିଛି ସେ ଆଜି

ଧର୍ମ ଶୃଙ୍ଖଳରେ

******

ପତିବ୍ରତା ଧର୍ମ ତାହାର

ସବୁଠୁ ଆଗରେ

ଚିହ୍ନି ଅଜାଡ଼ି ଦିଏ ନିଜ ଅସ୍ତିତ୍ବ କୁ

ଏକ ଅଜଣା ପୁରୁଷ ବାହୁରେ

ଚଉଠି ରାତିରେ

ସମାଜର କଥାଚିତ୍ର

ମଧୁରାତି ଏକମାତ୍ର

ନିଜକୁ ପଚାରିବି ସିଏ, ପାଏନି ଉତ୍ତର

କେଉଁ ଖୁସି ପାଇଁ ସିଏ

ହରାଇ ନିଜକୁ ଦିଏ

ଧର୍ମ ନାଁ ରେ

ଧର୍ଷିତା ସେ ହୁଏ

ଇଏ ତାର ପତ୍ନୀ ଧର୍ମ

ପୂର୍ବଜନ୍ମ ପାପକର୍ମ

ସେଥିପାଇଁ ପୁରୁଷ ହାତରେ

ନାରୀ ଅସ୍ତିତ୍ବ

ହସି ହସି ଆଲିଙ୍ଗନ କରେ

ନିଜର ଦାସତ୍ୱ

******

ପୁରୁଷ ସମାଜର ସତେ କି

ଅଦ୍ଭୁତ କଳ୍ପନା

ନାରୀକୁ ବାନ୍ଧିବା ପାଇଁ

ଧର୍ମଗ୍ରନ୍ଥର ରଚନା

ସୀତାର ଚରିତ୍ରରେ ତାକୁ

ଦେଖିବା ପାଇଁ

ବାପା, ଭାଇ, ସ୍ୱାମୀ ନାଁ ରେ

ଅଧିକାର ଯତେଇ

ମାରିଦିଅନ୍ତି ନାରୀ ଅନ୍ତଃସ୍ବର କୁ

କାନ୍ଦୁଥାଏ ନାରୀ ତୀବ୍ର ବେଦନାରେ

ମୁହଁ ବନ୍ଦ କରି ନିଜ ପଣତ କାନିରେ

ରୋଷେଇ ଘର

କବାଟ ଆଢୁଆଳେ

******

ପଢେ ଗୀତା, ଭାଗବତ

ନାନାମାନ ଧର୍ମଗ୍ରନ୍ଥ

ପ୍ରଶ୍ନ କରେ ନି ବି ସିଏ

ଏସବୁ ପୁରୁଷ ରଚିତ

ଖାଲି ଧର୍ମଗ୍ରନ୍ଥ ନୁହେଁ

ଅଟେ ମାୟାଜାଲ

ଯେଉଁଠାରେ ପୁରୁଷର ନିୟମ ହିଁ ଚାଲେ

ଧୀରେ ଧୀରେ କରି ସିଏ

ନିଜେ ହିଁ ଜଳେ

ନାହିଁ ତାର ବିଶ୍ୱାସ ବିଜ୍ଞାନ ସତ୍ୟତାରେ

କଣ୍ଢେଇ ସାଜିଛି ନାରୀ

ପୁରୁଷ ହାତରେ

ବନ୍ଧା ପଡିଛି ସେ, ଧର୍ମ ଶୃଙ୍ଖଳ ରେ

କବି: ମମତା ସାହୁ
( ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ରେ ସେ ରାଜନୀତି ବିଜ୍ଞାନ ରେ ସ୍ନାତକ କରୁଛନ୍ତି )