ସକାଳର ପ୍ରଥମ ସୂର୍ଯ୍ୟ କିରଣରେ

ଏକ ଗୈରିକ ବସ୍ତ୍ରଧାରୀ 

ମନ୍ଦିରରେ ଘଣ୍ଟି ବଜାଏ

ଧୂପଦୀପ ଜାଳି ପୂଜାର୍ଚ୍ଚନା କରେ

ସେହି ମନ୍ଦିର ରାସ୍ତାରେ 

ଠିକ ସେହି ସମୟରେ

ଆଜି ବି ଏକ ମଣିଷ

ନିଜ ପରିବାର ସାଥିରେ

ସରସର କରି ଝାଡୁମାରେ

ମଳମୂତ୍ର ଯେତେ ସବୁ ସଫା କରେ

ଧୂପ ସୁଗନ୍ଧ ମୂତ୍ର ଦୁର୍ଗନ୍ଧ

ନାସାରନ୍ଧ୍ରର ପରଶ ପାଇବା ପରେ

ଏକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ହୁଏ

ସମାଜର ଜାତିର ରହସ୍ୟ

 ******

ସନ୍ଧ୍ୟା ସମୟରେ

ଶୈଶବର ଭସା ବାଦଲରେ

ଗାଁ ଦାଣ୍ଡରେ, ପିଲାମାନେ ଖେଳୁଥିବାବେଳେ

କେହି ସାଇକେଲରେ ପଢିଯିବା ପାଇଁ

ସଜ ହେଲାବେଳେ

ନୁଖୁରା ବାଳ, ଧନ୍ତଳ ପେଟ

ଆଖି ଢଳ ଢଳ ଡରୁଆ ମୁଁହରେ

ଟିକେ ଦୁରେ ଥାଇ

ଚାଉଳ ଗିନା ଟେ ପାଇଁ

ହାତ ବଢ଼ାଇଲା ବେଳେ

ଅସ୍ଫ୍ରୁଶ୍ୟତାର ମାଁ ଡାକ

ପ୍ରଶ୍ନ ଆଂକେ ମନରେ

ଆଉ ଏକ ଦୃଶ୍ୟପଟେ

ଚିତଚୈତନ୍ୟ ଅଙ୍କା ଏକ ପୃଥଳ ଚେହେରା,

ସେହି ଘର ସାମ୍ନାରେ

ପୁଣି ଥରେ ମାଆ ଡାକ

ସଂସ୍କୃତ ମନ୍ତ୍ର ଯାକ

ଉଚ୍ଚାରଣ ହେବାବେଳେ

ଏକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ହୁଏ

ସମାଜର ଜାତିର ରହସ୍ୟ

   ******

ସ୍କୁଲ ରେ ମଧ୍ୟାହ୍ନ ଭୋଜନ ସମୟରେ

କକ୍ଷ୍ୟା ସାଥି ମାନଙ୍କର ଦୁଇଟି ଅଡୁଆ ଲାଇନ

ରାନ୍ଧୁଆଣିର ପରଷିବା ଚଳଣି

ହାତରୁ ତାର ଝରିପଡୁଥିବା ଡାଲି ପାଣି

ଭିନ୍ନ ଧାଡିରେ

ତାର ବହୁରୂପୀ ବ୍ୟବହାର

ପିଲାମାନେ ଦେଖି ହୁଅନ୍ତି କାତର

ତଳକୁ କରି ଆଖି

କୁହନ୍ତିନି କିଛି

ମଧ୍ୟାହ୍ନର ଟିକେ ଛାଇ 

ଟିକେ ଖରାରେ ବସି

ଏକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ହୁଏ

ସମାଜ ଜାତିର ରହସ୍ୟ

 ******

ଗାଁ ମଝିରେ

କୁକୁରର ମଲା ଶବ

ଦୁର୍ଗନ୍ଧର ଶେଷ ସୀମା ପାର ହେବା ପରେ

ଅର୍ଦ୍ଧସଢା ଅବସ୍ଥାକୁ ଆସି ଯିବା ପରେ

କେହି ଜଣେ ଉଚ୍ଚ ସ୍ୱରରେ

ସିଂହ ଗର୍ଜନ ଠାଣିରେ

କହେ ଡାକ ଘସିଆଁ କୁ

ଏହି ଡାକରେ ବି ଭରି ରହିଛି

ତୀବ୍ର ଘୃଣା ଭାବ

ଛୁଅନ୍ତିନି କେହି ତାକୁ

ଆର ପଟେ ଫଟଫଟ କରି

ମଟର ସାଇକେଲରେ

ଲାଲ ରଙ୍ଗର ମଠା ବସ୍ତ୍ର

ସିନ୍ଦୁରର ଲମ୍ବାଚିତା

ଏକ ଚିତ୍ତକର୍ଷକ ମଣିଷର ଜ୍ଞାନ ପାଇଁ

ଯେତେବେଳେ ଲୋକେ ଆସି 

କୁନ୍ଥୁ କୁନ୍ଥୁ ହେଇ ପାଖେ ଯାନ୍ତି ବସି

ଅମାବାସ୍ୟା,ସଂକ୍ରାନ୍ତି ସମସ୍ତ ଖବର

ନୀତି ନିୟମ, ପୂଜାବିଧିର

ଶହ ଶହ ଟଙ୍କା ନେଇ

ଦିଏ ସେ ବୁଝେଇ

ଲୋକଙ୍କ ମୁଣ୍ଡିଆ ମାରିବା ସରିଯିବା ପରେ

ଏକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ହୁଏ

ସମାଜର ଜାତି ରହସ୍ୟ

******

ଗାଁ ମଝିର

ଗଡ଼ିଆ ପୋଖର

ପୋଖରର ପାଣି କେବେ କରିନି ଅନ୍ତର

ତଥାପି ଭାଗ ପଡେ ସିଲ ପଥର

ଭିନ୍ନ ମଣିଷଙ୍କ ପାଇଁ

ଭିନ୍ନ ଥାଏ ଘାଟ, ଭିନ୍ନ ଥାଏ ବାଟ

ଯଦି କେବେ ଭୁଲରେ

ପଥର ବଦଳି ଯାଏ

ପୋଖରୀ ମଝିରେ ଆରମ୍ଭ ହୁଏ

ପଥର ପାଇଁ ନାଟ

ଭିନ୍ନ ମଣିଷଙ୍କ ବିଭିନ୍ନତାକୁ ଜାଣିବା ପାଇଁ

ବର ଗଛ ତଳେ ବସି

ପଥର ପାଣିର ନିର୍ବାକତାରେ

ଏକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ହୁଏ

ସମାଜର ଜାତିର ରହସ୍ୟ

3 thoughts on “ଏକ ଭିନ୍ନ ଦୃଷ୍ଟିଭଙ୍ଗୀ”

Comments are closed.