ପେଟକୁ ମୁଠେ ଦାନା, ପିଠିକୁ ଖଣ୍ଡେ କନା
ପାଇଁ ମୋ ଜୀବନ ସଂଗ୍ରାମ ।
ଘରେ ମୋ ବୃଦ୍ଧ ବାପା ମାଙ୍କୁ ଛାଡି
ମୁଁ ଖଟି ଆସିଛି ଦାଦନ ।।
ମୋ ପିଲାର ଭବିଷ୍ୟତ ବନ୍ଧା ପଡିଛି
ଇଟା ଭାଟିର କୁଡ଼ିଆ ଘରେ ।
ଭାତ, ଡାଲି ଟିକେ ସପନ ମୋ ପାଇଁ
ଖୁଦ, ମଳୁଖୁରେ ଦିନ ମୋ ସରେ ।।
ଗାଧୋଇବା, ପିଇବା ସ୍ୱଚ୍ଛ ପାଣି
ମୋ ଭାଗ୍ୟେ ନାହିଁ
ଖାଲର ପାଣିରେ
ମୋ ରନ୍ଧା ଚଳେ ।
ଦୁଃଖେ, ରୋଗେ ଯେତେ
ପୀଡ଼ା ହେଉଥିଲେବି
ବିରତି ନମିଲେ ଇଟା ଗଢ଼ାରେ ।।
କାମ ନ କରିଲେ ନାନା ନିର୍ଯ୍ୟାତନା
ସପ୍ତାରେ ନମିଲେ ଖାଉରି ଟଙ୍କା ।
ପଦୁଟିଏ ଯଦି ପ୍ରତିବାଦ କଲେ
ବିଧା, ଚାପୁଡ଼ା ରେ ମୋ ଗଲା ବଙ୍କା ।।
ନିର୍ଯ୍ୟାତନା ସହି କାମ କରିବା ତ
ଦେହସୁହା ନୀତି ଦିନ ଜୀବିକା ।
କୋରୋନା ଭୁତାଣୁ ଖେଳାଏ ଆତଙ୍କ
ଜୀବନକୁ ମୋର ଲାଗଇ ଶଙ୍କା ।।
ଲକ ଡାଉନ ଘୋଷଣା କଲେ ସରକାର
ସୁରକ୍ଷିତ ପାଇଁ ଜନ ଜୀବନ ।
ହେଲେ ମୁଁ ରହିଛି ଇଟା ଭାଟି ଠାରେ
ମୋ ଜୀବନ ଏଠି ବିପଦ ପୂର୍ଣ୍ଣ ।।
ମୋର ପାଇଁ କେହି ଚିନ୍ତା ବି କରେନା
ଅଲୋଡ଼ା ଅଖୋଜା ମୋର ଜୀବନ ।
କିଏ କହିବ ମୁଁ ପହଂଚିବି ଘରେ
କି ଅବା ଏଇଠି ହେବି ମୁଁ ଲୀନ ।।
କବି : ଶ୍ୟାମ ସୁନ୍ଦର କୁମ୍ଭାର