ଖୋଲା ଆହ୍ୱାନ
ଦାସତ୍ୱର ଅନ୍ଧାରରେ
ଚିର ଦିନ ସଢ଼େଇବା ପାଇଁ
ଏ ଧର୍ମର ଷଡ଼ଯନ୍ତ୍ର,
ପ୍ରଥା, ପରମ୍ପରା ଓ ସଂସ୍କୃତି ନାଁରେ
ଆମକୁ ଗୁଲାମ କରିବା ପାଇଁ ତ
କରନ୍ତି ଉଚ୍ଚାରଣ
ସଞ୍ଜ-ସକାଳେ ବେଦମନ୍ତ୍ର।
ଶିକ୍ଷାଠୁ ଆମକୁ କରି ଦୂର
ବିକ୍ଷିପ୍ତ କରି ଦେଇ ଇତିହାସ ଆମର
ଗୁଲାମୀର ଜଞ୍ଜିରରକୁ ପ୍ରଥା ବୋଲି ଭାବି
ଜାତି ନାଁରେ ମଣିଷ
କେତେ ଭାଗବଣ୍ଟା
କେତେ ଭୟଙ୍କର ଏଠି ପିତୃସତ୍ତା।


ଭାଙ୍ଗି ଦେଇ ଏ ଧର୍ମ ନୀତିର କଡା
ନାରୀ ହାତେ ଦେଲେ ଶିକ୍ଷାର ଭେଳା
ଶୁଦ୍ର-ଅତିଶୁଦ୍ର ଏକତା,
ସମାଜରେ ପ୍ରତିଷ୍ଠା ପାଇଁ ସମାନତା ।
ସତ୍ୟ ଶୋଧକ ସମାଜର ସ୍ଥାପନା
ଗୁଲାମ ଗିରିର ରଚନା।
ଅମାନବୀୟ ମୂଲ୍ୟବୋଧର ବିନାଶେ
ସାମାଜିକ କ୍ରାନ୍ତି ଓ ଆଧୁନିକ ଶିକ୍ଷା ଜରିଆରେ
ଜାତିବାଦର ମୂଳୋତ୍ପାଟନ
ପିତୃସତ୍ତାର ଉଚ୍ଛେଦନ।
ମନୁସ୍ମୃତି ବିରୋଧରେ
ଉନବିଂଶ ଶତାବ୍ଦୀରୁ ଶୁଭିଲାଣି
ଏକ ମହାନ ମାନବବାଦୀ ମହାତ୍ମାଙ୍କ
ଖୋଲା ଆହ୍ୱାନ।


ହେବା ନାହିଁ ଆଉ ଧର୍ମର ଗୁଲାମ,
ନିଜ ହାତେ ନେବା ନିଜର ଲଗାମ ।
ଜ୍ଞାନର ଆଲୋକରେ ହେବା ଆଲୋକିତ,
ଶିକ୍ଷିତ ବି ହେବୁ, ହେବୁ ସଂଗଠିତ।
ଯଦି ବିଶ୍ୱାସ ନ ହୁଏ
ନିଜ ଇତିହାସକୁ ଥରେ କର ଅନାବରଣ,
ଜଳ-ଜଳ ହୋଇ ଝଲସି ଉଠିବ
ବ୍ରହ୍ମଣବାଦୀଙ୍କ ଚକ୍ରାନ୍ତର ଅସଂଖ୍ୟ ଉଦାହରଣ,
ଏ ସାଜିସ ସବୁକୁ କରି ପର୍ଦାଫାଶ
ପିତୃସତ୍ତାର ମୂଳରେ କରି କୁଠାରଘାତ
ଜଳୁଥିବ ସାର୍ବଜନୀକ ଶିକ୍ଷାର ମଶାଲ
ଓ ଫୁଲେଙ୍କ ସାମାଜିକ କ୍ରାନ୍ତିର ପ୍ରମାଣ।

*ମମତା ସାହୁ, +3 ପ୍ରଥମ ବର୍ଷ ଛାତ୍ରୀ, ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟ।