ହେ ଇଶ୍ୱର
ସତେକି ଗଢିଛ
ତୁମେ ମଣିଷମାନଙ୍କୁ
ଭିନ୍ନ ଜାତି ଧର୍ମ କରି?
ଅବା ଜନ୍ମିଛନ୍ତି ଭବେ
ପୂର୍ବେ କିଛି ଅପକର୍ମ କରି..
ହେ ଈଶ୍ବର
ଅନିଚ୍ଛା ରେ ଜନ୍ମ ଦେଲ କିବା
ଏ ଅସ୍ପୃଶ୍ୟ ମାନଙ୍କୁ
ଅଛୁଆଁ ର ମନ୍ତ୍ର ଭରି
ମଣିଷ ଛୁଇଁଲେ ମାରା ହୁଅଇ ମଣିଷ
ସ୍ନାନ କରେ ଡରିମରି…
ହେ ଈଶ୍ୱର
ଅପବିତ୍ର ହୁଅ ତୁମେ
ଆଉ ତୁମରି ମନ୍ଦିର
ହରିଜନ ଯାଏ ଯେବେ
ଦେଉଳେ ତୁମରି
ଖିର,ଜଳ,ମନ୍ତ୍ରେ ହୁଅ
ସତେ କି ପବିତ୍ର
କହ ଛଳନା ନ କରି..
ହେ ଇଶ୍ୱର
ତୁମେ ତ ରହିଛ
ସେହି ମାଟି,
ଇଟା ଗଢା ଘରେ
ତିଆରି ଅସ୍ପୃଶ୍ୟର
ଲହୁ, ଲୁହରେ ହାତରେ..
ହେ ଇଶ୍ୱର
ତୁମେ ତ ବୁଲୁଛ ସାହି ସାହି
ହରିଜନ ଢୋଲର ବାଦ୍ୟରେ
ତୁମେ ତ ନାଚୁଛ ଥେଇ ଥେଇ
ଅଛଵ ମୃଦଙ୍ଗ ତାନରେ…..
ହେ ଈଶ୍ୱର
ଆଶ୍ଚର୍ଯ୍ୟ ଲାଗଇ ଶୁଣି
ଏ ଅପବିତ୍ର ତର୍କ
ହରି ମାରାହୁଏ
ଜନ ଛୁଇଁବା ମାତ୍ରକ..
ଅଡୁଆ ଲାଗେ ଅଜବ ନିୟମ ତୁମରି
କେମିତି ଏ ଲୀଳା
କହ ଆଖି ଛୁଇଁ କରି…
ହେ ଇଶ୍ୱର
ସନ୍ଦେହ ଉପୁଜେ ମନେ
ଅସ୍ତିତ୍ୱେ ତୁମରି
ମଣିଷର ଗଢା ତୁମେ
ନା ମଣିଷ ତୁମରି?
ଅସ୍ପୃଶ୍ୟ ମାନବ ଜନ୍ମ
ଦିଅ ବନ୍ଦ କରି
କଳୁଷିତ ଅଧ୍ୟାୟ ରେ
ପୂର୍ଣ୍ଣଚ୍ଛେଦ ମାରି…
କବି: ନବକିଶୋର ଦୀପ
ବୌଦ୍ଧ
Fully didactic,realistic and a strong message to the society…an ocean of deep thought in a nut shell which accumulate and criticises the hinduism .