(ଜଣେ ମାଳି ଜାତିର ବ୍ୟକ୍ତି ସାମାଜିକ ପରିବର୍ତ୍ତନର ଆବାହକ କିପରି ହୋଇ ପାରିଲେ)
ଉନ୍ନବିଂଶ ଶତାବ୍ଦୀରେ ଭାରତର ପରିସ୍ଥିତି ଅତି ଦୟନୀୟ ଅବସ୍ଥାରେ ଥିଲା। ସରଳ ଭାଷାରେ କହିବାକୁ ଗଲେ ଅନ୍ଧବିଶ୍ୱାସ, ଜାତି, ଧର୍ମ, ଲିଙ୍ଗ ତଥା ଛୁଆଁ ଅଛୁଆଁ ନା ରେ ଅତ୍ୟାଚାର, ଅନ୍ୟାୟ ଓ ଭେଦଭାବ ଚାଲିଥିଲା। ବ୍ରାହ୍ମଣ, ମାରୱାଡି ଓ କ୍ଷତ୍ରୀୟଙ୍କ ପ୍ରାଦୁର୍ଭାବ ଥିଲା। ପଛୁଆ ବର୍ଗ, ଦଲିତ ଓ ଆଦିବାସୀ ମାନଙ୍କୁ କୌଣସୀ ଅଧିକାର ନ ଥିଲା। ଯେତେବେଳେ ଇଂରେଜ ମାନେ ଭାରତକୁ ଆସିଲେ ସେମାନେ ସ୍ତବ୍ଧ ହୋଇଗଲେ ଏହି ଦେଶର ଅନ୍ଧବିଶ୍ୱାସ, କୁପ୍ରଥା, ଛୁଆଁ ଅଛୁଆଁ ଭେଦଭାବକୁ ଦେଖିକୀ। ଇଂରେଜ ଶାସନ କାଳରେ ଦଳିତ, ଆଦିବାସୀ ଓ ଓବିସି ସମାଜର ଲୋକମାନଙ୍କୁ ଅଳ୍ପ ମାତ୍ରାରେ ହିଁ ଶିକ୍ଷା ଗ୍ରହଣ କରିବାକୁ ଅଧିକାର ମିଳିପାରିଥିଲା। ଏହା ପୁର୍ବରୁ ଉପରୋକ୍ତ ସମାଜର ଲୋକଙ୍କ ପାଇଁ ଶିକ୍ଷା ବର୍ଜିତ ଥିଲା। ସେମାନେ କେବଳ ସବର୍ଣ୍ଣ ଜାତିର ସେବା କରିବା ପାଇଁ ବାଧ୍ୟତା ହୋଇଥିଲେ। ଏଭଳି ସମୟରେ ଜଣେ ମହା ମାନବର ଜନ୍ମ ଗ୍ରହଣ ହୋଇଥିଲା, ସେ ବର୍ତ୍ତମାନ ଭାରତବର୍ଷରେ ମହାତ୍ମା ଫୁଲେ ନାମରେ ପରିଚିତ ଏବଂ ସେ ମହାରାଷ୍ଟ୍ରର କଟଗୁଣ ଗ୍ରାମରେ, ଯାହା ବର୍ତ୍ତମାନ ର ସାତାରା ଜିଲ୍ଲାରେ ଅବସ୍ଥିତ ଅଟେ।
ଜୋତିବା ଫୁଲେ ଜଣେ ମାଳୀ ଜାତିରେ ୧୧ ଏପ୍ରିଲ୍, ୧୮୨୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଫୁଲେଙ୍କ ପରିବାର ନିଜ ଗ୍ରାମରେ ବାରମ୍ବାର ବ୍ରାହ୍ମଣ ମାନଙ୍କ ଅତ୍ୟାଚାର ଓ ଦୁର୍ବ୍ୟବହାର ସହି ଆସୁଥିଲେ, ଯାହାଫଳରେ ଫୁଲେଙ୍କ ପିତା ମାତା ଗ୍ରାମ ଛାଡିବାର ନିଷ୍ପତ୍ତି ନେଇଥିଲେ। ପରିବାର ସହିତ ଫୁଲେଙ୍କ ପିତା ମାତା ପୁନା ସହରକୁ ପଳାୟନ କରିଥିଲେ। ସେହି ସମୟରେ ମାଳୀ ଜାତି ତଥା ଅନେକ ଶୁଦ୍ର ଓ ଅତି ଶୁଦ୍ର ସମାଜରେ ଶିକ୍ଷାର ପ୍ରଚଳନ ବେଶୀ ନ ଥିଲା। ଯଦ୍ବାରା ଫୁଲେଙ୍କୁ ପ୍ରାଥମିକ ଶିକ୍ଷା ପରେ ଘରେ ରହିବାକୁ ପଡିଥିଲା। ସେ ଇସାହି ମାନଙ୍କ ସାହାଯ୍ୟରେ ପାଠ ପଢିଥିଲେ, ଓ ଇସାହି ଧର୍ମରେ ଧର୍ମାନ୍ତରଣ କରି ମିସନ୍ ସ୍କୁଲରେ ଭର୍ତ୍ତି ହୋଇଥିଲେ । ୧୮୪୭ ମସିହାରେ ଫୁଲେ ନିଜ ଇଂରାଜୀ ଶିକ୍ଷା ସମାପ୍ତ କରିଥିଲେ। ଯେପରି ମୁ ପୁର୍ବରୁ କହୁଥିଲି କୁପ୍ରଥା ଓ ଅନ୍ଧବିଶ୍ବାସ ସେହି ସମୟର ଗୋଟେ ଅଭିନ୍ନ ଅଙ୍ଗ ଥିଲା, ବାଲ୍ୟ ବିବାହ ମଧ୍ୟ ସେହି ମାତ୍ରାରେ ପ୍ରଚଳିତ ଥିଲା। ଫୁଲେଙ୍କୁ ୧୩ ବର୍ଷ ବୟଷରେ ବିବାହ କରାଇ ଦିଆଯାଇଥିଲା।
୧୮୪୮ ମସିହାର ଏକ ଘଟଣା ଜୋତିବା ଫୁଲେଙ୍କ ଜୀବନରେ ଆମୁଳ ଚୁଳ ପରିବର୍ତ୍ତନ ଆଣି ଦେଇଥିଲା। ଥରେ ସେ ତାଙ୍କର ଜଣେ ବ୍ରାହ୍ମଣ ମିତ୍ରଙ୍କ ବାହାଘରକୁ ଉପସ୍ଥିତ ହେବାପାଇଁ ଯାଇଥିଲେ। ଯେହେତୁ ସେ ଜଣେ ଶୁଦ୍ର ସମାଜ (ଯାହାକୁ ଆଜିର ସମୟରେ ଓବିସି କୁହାଯାଏ) ରୁ ଆସୁଥିଲେ କିମ୍ବା ଜନ୍ମ ଗ୍ରହଣ କରିଥିଲେ, ସେଥିପାଇଁ ତାଙ୍କୁ ଅପମାନିତ କରାଯାଇଥିଲା ଓ ବାହାଘରରେ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ଅପମାନିତ ବା ଲଜ୍ଜିତ କରାଯାଇଥିଲା । ଏହି ଘଟଣା ଫୁଲେଙ୍କ ଆତ୍ମ ସମ୍ମାନ ପ୍ରତି ବିଶେଷ ଆଘାତ ପହଞ୍ଚେଇଥିଲା। ଏହି ପରିସ୍ଥିତିରେ ଫୁଲେ ଜାତି ବ୍ୟବସ୍ଥାର ବର୍ବରତା ତଥା ଅମାନବିୟତାକୁ ବୁଝି ପାରିଥିଲେ। ଏହି ସମୟଠାରୁ ସେ ସାମାଜିକ ବିଦ୍ରୋହ ଜାତି, ଛୁଆଁ ଅଛୁଆଁ ଭେଦଭାବ, ମହିଳା ପୁରୁଷ ଅସମାନତା ଆଉ ସମାଜରେ ଚାଲିଥିବା ଅନ୍ଧବିଶ୍ୱାସ ବିରୁଦ୍ଧରେ ଆରମ୍ଭ କରିଥିଲେ।
୧୮୪୮ ମସିହାରେ ହିଁ ସେ ନିଜ ସ୍ତ୍ରୀଙ୍କୁ ପାଠପଢାଇ ତାଙ୍କୁ ଉଚ୍ଚଶିକ୍ଷିତ ହେବାପାଇଁ ସମସ୍ତ ପ୍ରକାରର ସହଯୋଗ କରିଥିଲେ। ଯାହାଦ୍ବାରା ତାଙ୍କ ସ୍ତ୍ରୀ ମାତା ସାବିତ୍ରୀ ବାଇ ଦେଶର ପ୍ରଥମ ଶିକ୍ଷୟିତ୍ରୀ ହୋଇପାରିଥିଲେ। ଉକ୍ତ ସମୟରେ ଫୁଲେ ଦମ୍ପତି ଏକାଠି ମିସି ପ୍ରଥମ ଶିକ୍ଷଣ ସଂସ୍ଥାନ ଝିଅ ଓ ମହିଳା ମାନଙ୍କ ପାଇଁ ପ୍ରାରମ୍ଭ କରିଥିଲେ।
ଫୁଲେ ଦମ୍ପତିଙ୍କ ଦ୍ବାରା ନିମ୍ନଲିଖିତ କାର୍ଯ୍ୟବଳୀ ସମାଜର ଉଦ୍ଧାର ତଥା ମୁକ୍ତି ପାଇଁ ପ୍ରସ୍ତାବିତ ହୋଇଥିଲା:-
୧) ସମାଜକୁ ସତ୍ୟ, ମାନବତା, ତଥା ସମାନତାର ପଥରେ ନେଇ ଯିବାପାଇଁ ଫୁଲେ ଏକ “ସତ୍ୟ ସୋଧକ ସମାଜ” ନାମକ ସଂଗଠନ ସ୍ଥାପନ କରିଥିଲେ।
୨) ସେହି ସମୟରେ ଯାହାକୁ ଅସ୍ପୃସ୍ୟ କୁହାଯାଉଥିଲା ସେମାନଙ୍କ ପାଇଁ ସେ ସ୍କୁଲ୍, ତଥା ପିଇବା ପାଣି ନିମନ୍ତେ ନିଜ ଘରେ ଥିବା କୁଅକୁ ଉପଯୋଗ ପାଇଁ ଖୋଲା ରଖିଥିଲେ।
୩) ସାବିତ୍ରୀବାଇ ଫୁଲେ ଦେଶର ପ୍ରଥମ ମହିଳା ଶିକ୍ଷୟିତ୍ରୀ ଅଟନ୍ତି।
୪) ୧୮୬୩ ମସିହାରେ ସେ ବିଧବା ମହିଳା ମାନଙ୍କ ପାଇଁ ରହିବା ନିମନ୍ତେ ଏକ ମହିଳା ଆଶ୍ରମ ତିଆରି କରିଥିଲେ ଓ ସମସ୍ତ ସୁବିଧା ଯୋଗାଇ ଦେଇଥିଲେ। ଏଥିରେ ଅଧିକାଂଶ ମହିଳା ମାନେ ଉଚ୍ଚଜାତିର ଥିଲେ। କାରଣ ସେହି ସମୟରେ ବିଧବା ମାନଙ୍କ ପୁନର୍ବିବାହ ସବର୍ଣ ଜାତି ମାନଙ୍କ ମଧ୍ୟରେ ବର୍ଜିତ ଥିଲା। ଯାହା ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ କରି ଆସୁଥିଲେ।
୫) ୧୮୫୮ ମସିହାରେ ଶୋସିତ ଓ ନିଷ୍ପେସିତ ସମାଜର ଶିକ୍ଷା ପାଇଁ ଜୋତିବା ଫୁଲେ ବିଭିନ୍ନ ସ୍ଥାନରେ ତିନୋଟି ସ୍କୁଲ୍ ଖୋଲିଥିଲେ।
୬) ଫୁଲେ ହେଉଛନ୍ତି ଭାରତୀୟ ଇତିହାସରେ ପ୍ରଥମ ବ୍ୟକ୍ତି ଯିଏ ଅସ୍ପୃଶ୍ୟ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଇଁ ଇଂରେଜ ସରକାରଙ୍କ ସମ୍ମୁଖରେ ମାଗଣା ଶିକ୍ଷାର ନିବେଦନ ରଖିଥିଲେ।
୭) ଫୁଲେ ନିଜ ଅନୁଭୁତିରୁ ଓ ଶିକ୍ଷାରୁ ବ୍ରାହ୍ମଣ ମାନଙ୍କ ଶୋଷଣ ନୀତିକୁ ଭଲ ଭାବରେ ବୁଝିଥିଲେ ସେଇଥିପାଇଁ ସେ ସତ୍ୟସୋଧକ ବାହାଘର ର ପ୍ରାରମ୍ଭ କରିଥିଲେ, ଏହି ବାହାଘର ବ୍ରାହ୍ମଣ ପରମ୍ପରା ଓ ବ୍ରାହ୍ମଣ ମାନଂକୁ ବହିଷ୍କାର କରାଯାଉଥିଲା।
୮) ଜୋତିବା ଓ ସାବିତ୍ରୀ ବାଈ ଫୁଲେ ବାଲ୍ୟ ବିବାହ ପ୍ରଥା, ସତୀ ଦାହ ପ୍ରଥା, ଏବଂ ବିଧବା ମହିଳା ମାନଙ୍କ ସର୍ବଦା ବାହା ନ ହୋଇ ଜୀବନ ଅତିବାହିତ କରିବା ପ୍ରଥା ଗୁଡିକ ବିରୁଦ୍ଧରେ କାର୍ଯ୍ୟ କରିଥିଲେ।
ଆସନ୍ତୁ ଏହି ମହାନ ବ୍ୟକ୍ତିଙ୍କୁ ସମ୍ମାନିତ କରି ତାଙ୍କ ଦେଇଯାଇଥିବା କାର୍ଯ୍ୟଶୈଳୀକୁ ଆଗକୁ ବଢେଇବାରେ ସଂକଳ୍ପ ନେବା। ଏପ୍ରିଲ ମାସ ୧୧ ତାରିଖରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କର ମହାନ କାର୍ଯ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରିବା।
- ଏହି ଲେଖା ପ୍ରତି ସାହାଯ୍ୟ ଓ ସହଯୋଗ କରିଥିବାରୁ ଲେଖକ ଜିତେନ୍ଦ୍ର ସୁନା, କୁନାଲ ଗହିର ଙ୍କୁ ଧନ୍ୟବାଦ ଜ୍ଞାପନ କରୁଅଛନ୍ତି।