ଆଜି ପାଶ୍ଚାତ୍ୟ ସଂସ୍କୃତି
କରମର୍ଦନ ଛାଡି
ହାତ ଯୋଡି କରେ ନମସ୍କାର ।।
କାରଣ ହୃଦୟରେ ତାଙ୍କ ବାନ୍ଧିଛି ବସା
ମହାମାରୀ କରୋନାର ଡର ।।
ଦେଖି ଏହି ଦୃଶ୍ୟ
ଗର୍ବରେ ଫୁଲେ ତୁମ ଛାଡି
କୁହ ଏହା ଆମ ମହାନ
ସଂସ୍କୃତିର ନିଦର୍ଶନ ।।
ହେଲେ ଲାଗେନି କି ଲଜ୍ଜା
ଯେବେ ସ୍ତ୍ରୀ କୁ କର ବାଧ୍ୟ
କରିବାକୁ ଗୋଡ଼ଧୁଆ ପାଣିର ସେବନ ।।
ତୁମ ଶାସ୍ତ୍ର କହେ
ଯାତ୍ରନାର୍ଯ୍ୟତୁପୂଜନ୍ତେ
ରମନ୍ତେତତ୍ରଦେବତା ,
ନାରୀକୁ ଦିଅ ଦେବତ୍ୱର ଆସନ ।।
ପୁଣି ତୁମ ସେହି ସଂସ୍କୃତି
ନାରୀକୁ ଭାବେ ଭୋଗ୍ୟଵସ୍ତୁ
ଅବଳା ଦୁର୍ବଳା,
ପୁରୁଷର ନିମ୍ନରେ ତା ସ୍ଥାନ ।।
ତୁମକୁ ଲାଗେନି କି ଲଜ୍ଜା
ସତୀ ଆଖ୍ୟା ଦେଇ କରୁଥିଲ ଦାହ
ଆଜି ବି ବିଧବାକୁ କର ରଙ୍ଗହୀନ ।।
ଆସ୍ଥା ନାଆରେ ପୋଡି ଦିଅ କେତେ ଘୃତ
କାଷ୍ଠପାଷାଣକୁ ଦିଅ ସୁମିଷ୍ଠ
ବ୍ୟଞ୍ଜନ ଆହାର ।।
ହେଲେ କେତେ ଭୋକିଲା ପେଟ
ଖୋଜନ୍ତି ଏଠି ମୁଠାଏ ଦାନା
ମେରୁଦଣ୍ଡକୁ ଦିଏ ଭାଙ୍ଗି
ଭୋକର ପ୍ରହାର ।।
ତୁମକୁ ଲାଗେନି କି ଲଜ୍ଜା
ତୁମେ ଆଖି ଆଗରେ ଦେଖ
ଭୋକିଲା ଶିଶୁର କ୍ରନ୍ଦନ,
ତଥାପି ଆସ୍ଥା ନାଆରେ
ଲିଟର ଲିଟର କ୍ଷୀର କର ବିସର୍ଜନ ।।
ତୁମ ମହାନ ସଂସ୍କୃତି
ଶିଖାଏ ଭାଇଚାରାର ବାର୍ତ୍ତା,
ନିତି ଉଡାଏ ବିଶ୍ୱଭାତୃତ୍ୱର ନେତ ।।
ହେଲେ ତୁମ ନଜରରେ ମଣିଷ ବି
ପଶୁଠାରୁ ହୀନ ,
ଦଳିତ ହୁଏ ଏଠି ନିତି ନିର୍ଯାତିତ ।।
ତୁମକୁ ଲାଗେନି କି ଲଜ୍ଜା
ମଣିଷ ଏଠି ଘୃଣାର ପାତର
ପଶୁକୁ ଦିଅ ମାଆର ସମ୍ମାନ ।।
ତୁମ ପରମ୍ପରା ତୁମ ସଂସ୍କୃତିକୁ
ଦୁରୁ ଜୁହାର ବନ୍ଧୁ ,
ତୁମ ମହାନ ସଂସ୍କୃତି
ମୋ ପୂର୍ବଜଙ୍କ ଛଡେଇ ନେଲା
ଶିକ୍ଷା ସମ୍ପତ୍ତି ମୁଠାଏ ଭାତ ।।
ତୁମେ ପିଟିପାର
ବିଶ୍ଵଗୁରୁ ହେବାର ଡିଙ୍ଗରା,
ହେଲେ ତୁମ ମହାନ ସଂସ୍କୃତି ପାଇଁ
ଆମେ ଯୁଗେ ଯୁଗେ ଅଭିଶପ୍ତ ।।
କବି: ଅଶ୍ବିନି କୁମାର
ସହକରୀ ଶିକ୍ଷକ
ଝରିଗାଁ ନବରଙ୍ଗପୁର