ମୁଁ ଦିନ ମଜୁରିଆ
ଚାଳ ମାଟି ଘରେ ଜନମ ହୋଇ
ବଢିଛି ମୁଁ ବାସି ପଖାଳ ଖାଇ |
ନାହିଁ ମୋର ଅଧିକ ଆଶା
ନା ବସିରହେ ମୁଁ ମୁଠାଏ ଦାନା ପାଇଁ
ଅନ୍ୟଉପରେ କରି ଭରଷା |
ହେଲେ ଆଜି ମୁଁ କରିଥିବା ସବୁ ଭୁଲ କୁ ମନେପକେଇ
ବସିଛି ସଙ୍ଗରୋଧ କେନ୍ଦ୍ର ରେ ନିରାଶ ହୋଇ |
” ପିଲା ଦିନେ ବାପାଙ୍କ ସାଥେ ଯାଉଥିଲି ମୁଁ
ଗାଈ ଚରେଇ , ପାଠ ନ ପଢି
ଆହା କି ଆନନ୍ଦ !
ଦୁଇପହର ରେ ପୋଖରୀରେ ମାଛ ଧରା ସଂଗେ
ସଂଜରେ ଗାଁ ପିଲାଙ୍କ ସହ ବାଟି, କବାଡି ପରେ ତାସ୍ ଖେଳ “
ଭାବୁଥିଲି ଏ ସବୁ ସୁଖ ର ମୁଁ ହିଁ ଉପଭୋଗୀ,
ଶିକ୍ଷିତ ନ ହେଲେ ମଧ୍ୟ
ମୋ ଭାଗ୍ୟ ଭବିଷ୍ୟତ ଅଛି ନିରାପତ୍ତା |”
ସମୟ ଏମିତି ଖେଳିଲା ଯେ,
ବାପା ମୋର କୃଷି ଋଣ ସୁଝି ନ ପାରି
ଚାଲିଗଲେ ଆମକୁ ଛାଡି
ବେକରେ ଦେଇ ଦୌଡ଼ି |
ଦିନ ପରେ ଦିନ ଗଡ଼ିଲା
ଅଂଟା ରେ ଛିଣ୍ଡା କନା ହିଁ ଶେଷ ରେ
ସରମକୁ ଘୋଡେଇଲା |
ଘର ଘର ବୁଲି କାମ ଖୋଜିଲି ମୁହିଁ
ନ ମିଳିଲେ କାମ ପାଖ ସହରକୁ ଗଲି
ଏମିତି ଆହାର ଖୋଜି ଖୋଜି ଚଳୁଥିଲୁ
ମାଆ ପୁଅ ଭାଗ୍ୟ କୁ କୋଶୀ |
ସ୍ତ୍ରୀ ପିଲା କୁ ନେଇ ଯେବେ
ବଢ଼ିଲା ମୋ ସଂସାର
ଯେତେ ଝାଳ ବୁହାଇଲେ
ପଇସାର ହେଲା ନିଅଣ୍ଟ |
ଘରେ ମୋହର ବୁଢ଼ୀ ମା
ରୋଗରେ ପଡି ସହୁଥିଲା ପୀଡାକୁ
ପଣତରେ ଲୁହକୁ ପୋଛି |
ପିଲାଙ୍କ ଭବିଷ୍ୟତ ପାଇଁ ସ୍ତ୍ରୀ ମୋହର
ଯାଉଥିଲା ଅନ୍ୟର ବିଲକୁ ଧାନ କାଟି |
ଦୁଇ ପଇସା ଅଧିକ ରୋଜଗାର ହେଲେ
ଉଭେଇ ଯିବ ସବୁ ଅଭାବ ଅସୁବିଧା ଭାବି
ଶେଷରେ ପ୍ରବାସୀ ଶ୍ରମିକ ମୁଁ ସାଜିଲି |
ହଠାତ,
କରୋନା ରୋଗ ଆସିଲା ମାଡି
ଶରୀରରେ ବଳ ଥାଇବି
ପଙ୍ଗୁ ସାଜିଲୁ ଆମେ ଶ୍ରମିକ ଭାଇ,
ମାଲିକର ତଡା ଖାଇ |
ଦୂର ଦେଶ ରୁ ଆସି କରୋନା
ଜୀବିକାରେ ଆମ ମାରିଲା ଗୋଇଠା |
କେବେ ଲକ୍ ଡାଉନ୍, କେବେ ସଟ୍ ଡାଉନ୍ ଯୋଗୁଁ ,
କେମିତି ଯିବୁ ନିଜ ଭିଟା ମାଟିକୁ
ଡହଳ ବିକଳ ହେଲୁ କରି ଚିନ୍ତା |
ପାଦରେ ନଥିଲା ଆଉ ବଳ
ଭୋକ ଉପାସରେ ଦୁର୍ବଳ ହେଲା ଆମ ଶରୀର
କେବେ ସଡକରେ ଚାଲି ଚାଲି
ତ କେବେ ରେଳ ଲାଇନ୍ ରେ ପଥ ଖୋଜି ଚାଲୁଥିଲୁ ମନୋବଳକୁ ସାଉଁଟି |
ପୋଲିସର ପାହାର ଓ ସୂରୁଜ ର ଉତ୍ତାପ ସହ
ପାଣି ଫୋଟକା ଭରା ପାଦ ର କଷ୍ଟ ସହି ,
ଶେଷରେ ପହଂଚି,
ଅଛି ମୁଁ ଆଜି ସଙ୍ଗରୋଧ ଗୃହରେ ଆମ ଗାଁ ପାଶେ |
ଭାଗ୍ୟର ଏ କି ବିଡମ୍ବନା !
ମୁଁ ଚୋର ନୁହେଁ କି ନୁହେଁ ପଳାତକ
ଦାନା, କନା ଆଉ ଠିକଣା କୁ ନେଇ ପାଇଲି କେତେଯେ ମୁଁ ଲାନ୍ଛନା |
ମୋ ନେତ୍ର ଭରା ଲୋତକ ର ଧାର
କରୁଛି ଗୁହାରି ସରକାରଙ୍କୁ
ଦରିଦ୍ରତାରୁ ବଞ୍ଚାଓ ଆମ ଜୀବନ
ନାହିଁ ଭୟ କରୋନା ରୋଗର |
*ଭାରତୀ ମଙ୍ଗରାଜ, ଗବେଷିକା, ଗଣିତ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ।