କୁନି କୁନି ଡେଣା ଯୋଡି,
ନୂଆ ଦୁନିଆ ଦେଖିବା ସକାଶେ ଆସେ ମୁଁ
ନାନା ସପନ ବୁଣି,
ହେଲେ ପକ୍ଷପାତର ଏ ଦୁନିଆ ମୋ ଅସ୍ତିତ୍ବକୁ ଜାଣିଲେ ଦିଏ ମତେ ହାଣୀ…

ଖୋଲା ଆକାଶକୁ ଦେଖିଲି ମୁଁ,
ନ’ ମାଶ ଦଶ ଦିନ ମା ଉଦରରୁ ବାହାରି ,
ଭାବିଲି ମୋ କୁଆଁ କୁଆଁ କ୍ରନ୍ଦନ ଶୁଣି,
ଘରେ ମୋର ଥିବ ଖୁଶିର ଲହରୀ,
ହେଲେ ମନ ଦୁଃଖରେ ବୁଢୀମାଆ ମୋ କାନ୍ଦୁଛି ଲୁହ ଗଡେଇ…
କହୁଛି ମାଆ କୁ,
” ନାତି ଟୋକା ହେଇଥିଲେ
ଯାଇଥାନ୍ତି ଆମ ଗାଁ ସାଇକୁ ମିଠେଇ ବାନ୍ଟି,
ଦୁଇ କୁଳ କୁ ମୋର ଉଦ୍ଧାର କରି ସେ,
ଜୁଈରେ ମୋ ଦେଇ ନିଆଁ କରିଥାନ୍ତା ମୋତେ ମୁକ୍ତି …
ଝିଅ ଜନମ ପର ଘରକୁ ,
ଯୌତୁକରେ ବୋହିନେବ ମୋ ପୁଅ ର ସବୁ ସମ୍ପତି “…

ଗଗନ ପରି ବିଶାଳ ଓ କୋମଳ ମୋ ହୃଦୟ ,
ସୁଖ, ଦୁଃଖରେ ସବୁ ସମୟରେ ଥାଏ ,
ମାଆ, ଦୁହିତା, ଭଗିନୀ କିମ୍ବା ବାନ୍ଧବୀରେ ହୋଇ ମୁଁ ପରିଚିତ…

ଘରୁ ବାହାରି ଡେଣା ମେଲାଇ ଆକାଶରେ ଉଡିବାକୁ କରେ ମୁଁ ପ୍ରୟାଶ,
ହେବି ବୋଲି ଦିନେ ଶିକ୍ଷୟିତ୍ରୀ, ଡାକ୍ତର କିମ୍ବା ବୈଜ୍ଞାନିକ,
ଝିଅ ଜନମ ଚୁଲି ମୁଣ୍ଡକୁ କହି ପଢିବାରୁ କରନାହିଁ ମତେ ବଂଚିତ…

ଚାନ୍ଦ ପରି ସୁନ୍ଦର ନ ଥିଲେ ବି ମୁଖ ମୋହର,
ମୋ ବର୍ଣ୍ଣକୁ ନେଇ କରନାହିଁ କେବେ ଦୁଃଖ,
ଶେଷ ନିଃଶ୍ୱାସ ତ୍ୟାଗ ପରେ ମଣିଷ ଶରୀରର କିଛି ନଥାଏ ଅସ୍ତିତ୍ବ,
ଅନ୍ତରର ସୁନ୍ଦରତା କୁ ପରଖି ଆପଣାଅ ନକରି ପକ୍ଷପାତ…

  • ଭାରତୀ ମଙ୍ଗରାଜ, ଗବେଷିକା, ଗଣିତ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ