ହାଡ଼ ଖଣ୍ଡେ, ମାଂସ ଫୁଟେ, ବୁନ୍ଦାଏ ରକତେ
ଗଢ଼ା ଏ ମୋର ଶରୀର ।
ମାନବ ସମାଜେ ମାନବ ଜଣେ ମୁଁ
ନୁହେଁ ଅଲଗା ଜାତିର ।।
ହେଲବି କେଜାଣି କାହିଁକି ଯେ ମୋତେ
ଅଛୁଆଁ ବୋଲି କହୁଛ ।
ଅକସ୍ମାତ ଯଦି ଛୁଇଁ ହେଲେ ତୁମେ
ଶଉଚ ପାଇଁ ଧାଉଁଛ ।।
ବାରମାସେ ତୁମେ ତେରଟି ପରବ
ହରି ର ନାମରେ କର ।
ତ୍ରିସନ୍ଧ୍ୟା ତର୍ପଣ ହୋମ ଯଜ୍ଞ ଆଦି
ସବୁତ ଅଟେ ତୁମର ।।
ଅନୁକ୍ଷଣେ ତୁମେ ହରି ପାଖେ ରହି
ହରି ରସେ ଅଛ ବାଇ ।
ଅକସ୍ମାତ ମୁହିଁ ମନ୍ଦିରେ ପଶିଲେ
ହରି ଯାଏ ମାରା ହୋଇ ।।
ହରି ର ନିଜର ପାଖ ଲୋକ ତୁମେ
ତୁମେ ସିନା ହରିଜନ ।
ମୋ ଛାଇ ପଡିଲେ ହରି ହୁଏ ମାରା
ଯାଏ ମୋ ଆତ୍ମ ସମ୍ମାନ ।।
ହରି ନୁହେଁ ମୋର ମୁଁ ନୁହେଁ ହରିର
ମୁହିଁ ମାନବ ଜନମ ।
କି କାରଣେ ମୋତେ ଅପମାନ ଦିଅ
କାଇଁ କୁହ ହରିଜନ ।।
କବି: ଶ୍ୟାମ ସୁନ୍ଦର କୁମ୍ଭାର