ପରମପୂଜ୍ୟ ବୋଧିସତ୍ୱ ଭାରତରତ୍ନ ବାବାସାହେବ ଭିମ ରାଓ ରାମଜୀ ଡଃ. ଆମ୍ବେଦକରଙ୍କ ୧୨୯ ତମ ଜୟନ୍ତୀ ଅବସରରେ ନିର୍ବେଦର ସମସ୍ତ ପାଠକଙ୍କୁ ସପ୍ରେମ ଜୟଭୀମ ଏବଂ ନମୋ ବୁଦ୍ଧାୟ I ବାବାସାହେବ ଆମ୍ବେଦକର ଏକ ଧାରରେ ଜଣେ ଅର୍ଥନୈତିଜ୍ଞ, ଆଇନଜୀବୀ, ଦାର୍ଶନିକ ଏବଂ ସବୁଠୁ ଉର୍ଦ୍ଧରେ ଜଣେ ଆଧୁନିକତାବାଦୀ ହିସାବରେ ବିଶ୍ୱ ବିଖ୍ୟାତ I ଆମ୍ୱେଦକର, ଉଭୟ ଆଦର୍ଶବାଦ ଏବଂ ପ୍ରାୟୋଗିକତାବାଦର ଜଣେ ବିରଳ ସମ୍ମିଶ୍ରଣ ଅଟନ୍ତି I ତଥାକଥିତ ଅସବର୍ଣ୍ଣ କିମ୍ବା ଆଜିର ପଛୁଆଁ ବର୍ଗ ଏବଂ ଦଳିତ/ଆଦିବାସୀ କିମ୍ବା ତଫସିଲଭୁକ୍ତ ଜାତିର ଜଣେ ମସିହା ଭାବେ ବେଶ ପରିଚିତ। ସ୍ୱାଧୀନ ଭାରତର ସର୍ବବୃହତ ଏବଂ ଆଧୁନିକ ଲିଖିତ ସମ୍ବିଧାନ ଗଠନରେ ଆମ୍ବେଦକରଙ୍କ ଭୂମିକା ଏବଂ ଅବଦାନ ଅତୁଳନୀୟ।
ଏହି ଲେଖା ରେ ଆମ୍ବେଦକରଙ୍କ ଜୀବନ ଏବଂ ଦର୍ଶନ ବିଷୟରେ ଉଲ୍ଲେଖ କରିବା ଲେଖକର ମୁଖ୍ୟ ବିଷୟ ନୁହେଁ । ପ୍ରଧାନତଃ ତିନୋଟି ମୁଖ୍ୟ ବିଷୟ ଉପରେ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ହେଉଛି ଏହି ଲେଖାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ, ଭାରତର ସାମାଜିକ ବ୍ୟବସ୍ଥା ଏବଂ ଏହି ବ୍ୟବସ୍ଥା ଅନ୍ୟ ଦେଶ ତୁଳନାରେ କିପରି ଏକ ଅଦ୍ବିତୀୟ ସାମାଜିକ ବ୍ୟବସ୍ଥା। ଦ୍ବିତୀୟ, ଏହି ସାମାଜିକ ବ୍ୟବସ୍ଥାରୁ ଉତ୍ପନ୍ନ ସମସ୍ୟାଗୁଡିକ ଏବଂ ସେଗୁଡ଼ିକର ମୁଖ୍ୟ କାରଣ କଣ କଣ ଅଟେ। ତୃତୀୟରେ, ଏହି ସମସ୍ୟା ଓ ମୂଳ କାରଣର ସମାଧାନ ଏବଂ ପ୍ରତିକାର ଦିଗରେ ବିଭିନ୍ନ ମହାମାନବ ଏବଂ ବିପ୍ଲବି ମାନଙ୍କ ଦ୍ବାରା ପ୍ରଦତ୍ତ ମାଧ୍ୟମ (Means) ଗୁଡିକ ବିଷୟରେ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ।
ପୃଥିବୀର ବିଭିନ୍ନ ଦେଶ ଭଳି, ଭାରତର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ବ୍ୟବସ୍ଥା ନାନାଦି ପ୍ରକାରର ଦ୍ଵନ୍ଦ, ପ୍ରତିଦ୍ୱନ୍ଦ ଏବଂ ସମସ୍ୟାରେ ପରିପୂର୍ଣ। ରୁଷ, ଚୀନ ଏବଂ କ୍ୟୁବା ଭଳି, ଭାରତରେ ମଧ୍ୟ ଆର୍ଥିକ ବୈଷମ୍ୟତାର ସମସ୍ୟା ରହିଅଛି । ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ପରି ଦେଶ ମାନଙ୍କ ଭଳି ଭାରତରେ ଲୋକଙ୍କୁ ରଙ୍ଗ ଏବଂ ଲିଙ୍ଗ ଭିତ୍ତିକ ଶୋଷଣ ଏବଂ ଭେଦଭାବର ଶିକାର ହେବାକୁ ପଡିଥାଏ । ସାଧାରଣ ଜନତାରୁ ଆରମ୍ଭ କରି ପ୍ରଖ୍ୟାତ ବୈଜ୍ଞାନିକ ପର୍ଯ୍ୟନ୍ତ ଲୋକେ ଭାରତରେ ମଧ୍ୟ ବିଭିନ୍ନ ଧର୍ମାନ୍ଧତା ଓ ଅନ୍ଧବିଶ୍ବାସରେ ଲିପ୍ତ ଅଟନ୍ତି ।
ପରନ୍ତୁ ଅନ୍ୟ ଦେଶ ତୁଳନାରେ, ଭାରତର ସାମାଜିକ ବ୍ୟବସ୍ଥା ବିଭିନ୍ନ ଅର୍ଥରେ ଏକ ଅଦ୍ୱିତୀୟ ସାମାଜିକ ବ୍ୟବସ୍ଥା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ବିଭିନ୍ନ ବାଧା ବିଘ୍ନ ଏବଂ ପ୍ରତିବାଦ ସତ୍ୱେ, ଭାରତୀୟ ସାମାଜିକ ବ୍ୟବସ୍ଥା ଆଜି ମଧ୍ୟ ନିଜର ପୁରାତନ କାଳର ପ୍ରଥା, ପରଂପରା, ଧର୍ମାନ୍ଧ ଏବଂ ଅନ୍ଧବିଶ୍ୱାସକୁ ବଜାୟ ରଖିଆସିଛି । ବିଭିନ୍ନ ବାହ୍ୟ ଆକ୍ରମଣ ଯଥା:- ଉପନିବେଶବାଦ, ପୁଞ୍ଜିବାଦ, ଏବଂ ନବ-ଉଦାରବାଦ ସତ୍ୱେ, ଭାରତ ନିଜ଼ର କୁସଂସ୍କାରକୁ ବଞ୍ଚାଇ ରଖିବାରେ ସକ୍ଷମ ହେଇଛି । ବିଜ୍ଞାନର ପ୍ରଚୁର ପ୍ରଭାବ ଓ ଉନ୍ନତି ସତ୍ୱେ, ଭାରତରେ ନିଜ଼ର ହଜ଼ାର ହଜ଼ାର ବର୍ଷର ପୁରାତନ ସାମାଜିକ ସଂରଚନାକୁ ଆଜି ମଧ୍ୟ ଗର୍ବର ସହିତ ଜାବୁଡି ଧରିଛି । ଆଜି ମଧ୍ୟ ଏକ ନିର୍ଦିଷ୍ଟ ଜାତିରେ ଜନ୍ମ ନେଇଥିବାରୁ, ବିଭିନ୍ନ ପ୍ରକାରର ଆର୍ଥିକ, ସାମାଜିକ ଏବଂ ରାଜନୈତିକ ପୋଷଣ ଓ ଭେଦଭାବର ସମ୍ମୁଖୀନ ହେବାକୁ ପଡୁଅଛି । ଏକ ମହାନ ଓ ଆଧୁନିକ ଲିଖିତ ସମ୍ବିଧାନ ହେବା ସତ୍ୱେ, ସାଧାରଣ ଜନତାଙ୍କୁ ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖାଯାଇଛି । ପୁନଶ୍ଚ, ବିଭିନ୍ନ ପ୍ରକାରର ପୋଷଣ ଓ ଅତ୍ୟାଚାର ସତ୍ୱେ, ବିପ୍ଳବ ଓ ପ୍ରତିବାଦର ସ୍ୱର ଓ ସ୍ରୋତକ୍ତ ଚାପି ରଖିବାରେ ଭାରତୀୟ ସମାଜ ବ୍ୟବସ୍ଥା ସଫଳ ରହିଅଛି ।
ଉପରୋକ୍ତ ଉଲ୍ଲେଖନୀୟ କାରଣ ସହିତ ବିଭିନ୍ନ ଅନ୍ୟାନ୍ୟ କାରଣ ଯୋଗୁଁ ଭାରତର ସାମାଜିକ ବ୍ୟବସ୍ଥା ଏକ ଅଦ୍ୱିତୀୟ ସାମାଜିକ ବ୍ୟବସ୍ଥା ଅଟେ । ଭାରତରେ, ଲୋକେ ପ୍ରତିଦୀନ ନୂତନ ସାମାଜିକ ସମସ୍ୟା ଓ ଦ୍ବନ୍ଦରେ ଛନ୍ଧି ହୋଇଯାଉଛନ୍ତି । ସମସ୍ୟାର ସମାଧାନ ବଦଳରେ ଲୋକେ ସମସ୍ୟାରେ ଛନ୍ଦି ହୋଇ ଦଳି ଚକଟି ହୋଇ ବିଭିନ୍ନ ପ୍ରକାରର ଜାତି ଅତ୍ୟାଚାରର ଶିକାର ହେଉଛନ୍ତି ଏବଂ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।
ଭାରତର ସାମାଜିକ ବ୍ୟବସ୍ଥା କେତେ ପୋଷଣକାରୀ, ଧର୍ମାନ୍ଧତା, ଅନ୍ଧବିଶ୍ୱାସ, ଏବଂ ଅସମାନତାରେ ପରିପୂର୍ଣ୍ଣ ତାହା ଏହି ଲେଖାର ମୁଖ୍ୟ ବିଷୟ ନୁହେଁ, କାରଣ ବହୁ ମହାମାନବ ଉପରୋକ୍ତ ସମସ୍ୟା ବିଷୟରେ ବିଶେଷ ସ୍ପଷ୍ଟତାର ସହିତ ବ୍ୟାଖ୍ୟା କରିଯାଇଛନ୍ତି । ଏକ ଶୋଷଣମୁକ୍ତ ଓ ସମତାମୂଳକ ସମାଜ ଗଠନରେ ସଂଭାବ୍ୟ ମାଧ୍ୟମ ଗୁଡିକର ଆଲୋଚନା ଓ ବିଶ୍ଳେଷଣ କରିବା ହେଉଛି ଏହି ଲେଖାର ଉଦ୍ଦେଶ୍ୟ । ପୁନଶ୍ଚ ଯଦିଓ ଜାତିବିହିନ ସମତାମୂଳକ କିମ୍ବା ଶୋଷଣମୁକ୍ତ ସମାଜ ଗଠନ ଦିଗରେ ବହୁତ ଗୁଡିଏ ମହାମାନବ କିଛି ନା କିଛି ରାସ୍ତା ଏବଂ ମାଧ୍ୟମ ବିଷୟରେ ଉଲ୍ଲେଖ କରିଯାଇଛନ୍ତି । ବାବାସାହେବଙ୍କ ଦ୍ବାରା ପ୍ରଦତ୍ତ ଏବଂ ପ୍ରଚାରିତ ମାଧ୍ୟମ ବିଷୟରେ ମୁଖ୍ୟତଃ ପାଠକଙ୍କ ଧ୍ୟାନ ଆକର୍ଷଣ କରିବା ହେଉଛି ଏହି ଲେଖାର ମୁଖ୍ୟ ଉଦ୍ଦେଶ୍ୟ ।
ବାବା ସାହେବ ଆମ୍ବେଦକରଙ୍କ ଦ୍ବାରା ପ୍ରଦତ୍ତ ମାଧ୍ୟମ ବିଷୟରେ ଆଲୋଚନା କରିବା ପୂର୍ବରୁ, ଆମେ ତାଙ୍କ ମାଧ୍ୟମ ଗୁଡିକର ପ୍ରକୃତି ବା ବିଶେଷତା ଉପରେ ଦୃଷ୍ଟିପାତ କରିବା ଉଚିତ । ଆମ୍ବେଦକର ଜଣେ ଏପରି ଏକ ମହାମାନବ ଥିଲେ, ଯିଏକି ସାମାଜିକ ସମସ୍ୟା ଓ ତାର ସମାଧାନ କରିବାର ମାଧ୍ୟମ ଗୁଡିକରେ ଉଭୟ ଭୌତିକତା ଓ ଆଧ୍ୟାତ୍ମିକତାକୁ ପ୍ରାଧାନ୍ୟ ଦିଅନ୍ତି । କାରଣ ଭୌତିକତାବାଦୀ ବ୍ୟକ୍ତି କିମ୍ବା ସମାଜ ଭୌତିକ ଆବଶ୍ୟକତା ବିନା ନିଜର ଅସ୍ତିତ୍ବକୁ ବଞ୍ଚାଇ ରଖି ପାରିବ ନାହିଁ । ତେଣୁ ଆମ୍ବେଦକର ଉଭୟ ଭୌତିକତା ଓ ଆଧ୍ୟାତ୍ମିକତାକୁ ଭିନ୍ନ ଭିନ୍ନ ଦେଖିବା ପରିବର୍ତ୍ତେ , ପରିପୂରକ ହିସାବରେ ବିବେଚନା କରନ୍ତି । ଉଦାହରଣ ସ୍ବରୂପ, ତଥାକଥିତ ନିମ୍ନଜାତିର ଲୋକେ ଆର୍ଥିକ ଅଭାବର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ, ସାମାଜିକ ସ୍ତରରେ ହିନମାନ୍ୟର ବ୍ୟବହାର ତଥା ପ୍ରତାଡନାର ଶିକାର ହେବାକୁ ପଡିଥାଏ । ତେଣୁ ଆମ୍ବେଦକର ଲୋକଙ୍କୁ ମୌଳିକ ଭୌତିକ ଅଧିକାର ସହିତ, ଏକ ସମାନ ସାମାଜିକ ସ୍ତର (Status) ଦେବାକୁ ନିଜର ମାଧ୍ୟମ ଜରିଆରେ ପ୍ରାଧାନ୍ୟ ଦେଇଛନ୍ତି । ପୁନଶ୍ଚ, ଆମ୍ବେଦକରଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ମାଧ୍ୟମ ଗୁଡିକରେ ଉଭୟ ଆଦର୍ଶବାଦ ଓ ପ୍ରୟୋଜନତାବାଦର ପ୍ରତିଫଳନ ହୁଏ । ସାମାଜିକ ବ୍ୟବସ୍ଥାରୁ ଉତ୍ପନ୍ନ ସମସ୍ୟାର ପ୍ରତ୍ୟକ୍ଷ ଭକ୍ତଭୋଗୀ ଏବଂ ଶିକାର ହେବା ଯୋଗୁଁ, ନିଜର ଆଦର୍ଶବାଦୀ ବିଚାର ସଙ୍ଗେ ସଙ୍ଗେ ସମସ୍ୟାର ସାମ୍ଭବ୍ୟ ଦିଗରେ ମଧ୍ୟ ଆମ୍ବେଦକର ପ୍ରତି ମୁହୁର୍ତ୍ତରେ ଚେଷ୍ଟାରତ ଓ ପ୍ରାଧାନ୍ୟ ଦେଉଥିଲେ । ତେଣୁ ଆଦର୍ଶବାଦକୁ ଜାବୁଡି ନଧରି ଯଥାସମ୍ଭବ ପରିସ୍ଥିତି ହିସାବରେ ସୁବିଧା ସୁଯୋଗ ତିଆରି କରିବା ତାଙ୍କ ମାଧ୍ୟମ ଗୁଡିକର ବିଶେଷ ମହତ୍ବ ଅଟେ ।
ବାବା ସାହେବ ତାଙ୍କ ଉଚ୍ଚ ଶିକ୍ଷା ସମୟରେ ବିଭିନ୍ନ ସାହିତ୍ବିକ ଆନ୍ଦୋଳନ ଏବଂ ଉଚ୍ଚ ଶିକ୍ଷା ପରେ ସାମାଜିକ ଆନ୍ଦୋଳନ ଆରମ୍ଭକଲେ । ନିଜର ଅତୁଳନୀୟ ତ୍ୟାଗ ଏବଂ ସଂଘର୍ଷ ଦ୍ବାରା ଜାତି ବିହୀନ ସମାଜ ଗଠନ ପାଇଁ ଚାଲିଥିବା ସାମାଜିକ ଆନ୍ଦୋଳନକୁ ଏବଂ ବିଶିଷ୍ଠ ରାଜନୈତିକ ଏବଂ ବୌଦ୍ଧିକ ସ୍ତରକୁ ପହଞ୍ଚାଇବାରେ ସକ୍ଷମ ହେଲେ । ପାଣି ଭଳି ମୌଳିକ ଆବଶ୍ୟକତା ପାଇଁ ଚଉଦ୍ବାରରେ ଆନ୍ଦୋଳନ ଏବଂ ସ୍ବାଭିମାନର ଅଧିକାର ପାଇଁ କାଲାରାମ ମନ୍ଦିର ପ୍ରବେଶ ଭଳି ସମାଜିକ ଆନ୍ଦୋଳନ ଜରିଆରେ ଦଳିତ ମାନଙ୍କ ମଧ୍ୟରେ ବିଶେଷ ସାମାଜିକ ଏବଂ ରାଜନୈତିକ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହେଲେ । ଦଳିତ ଏବଂ ଅବହେଳିତଙ୍କ ପାଇଁ ସମାନ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସୁବିଧା ସୁଯୋଗ ଏବଂ ଅଧିକାର ପାଇଁ ଉଭୟ କଂଗ୍ରେସ ଏବଂ ବ୍ରିଟିସ ସରକାରଙ୍କ ଉପରେ ଯଥେଷ୍ଟ ଚାପ ପକାଇଥିଲେ। ସର୍ବଶେଷରେ ବିଭିନ୍ନ ପ୍ରତିବନ୍ଧକ ସତ୍ୱେ, ସ୍ୱାଧୀନ ଭାରତର ସମ୍ବିଧାନରେ ଅବହେଳିତ ଓ ନିଷ୍ପେସିତ ସମାଜ ପାଇଁ ଯଥାସମ୍ଭବ ସୁବିଧା ସୁଯୋଗର ବ୍ୟବସ୍ଥା କରିଗଲେ ।
ଆମ୍ବେଦକର, ନିଜ ଦୀର୍ଘ ସମୟର ସଂଘର୍ଷ ଏବଂ ଅଧ୍ୟୟନ ଦ୍ବାରା ବୁଝି ସାରିଥିଲେ ଯେ ଭାରତୀୟ ସମାଜର ଏକ ମୁଖ୍ୟ ସମସ୍ୟା ଜାତି ବ୍ୟବସ୍ଥା ଅଟେ ବୋଲି । ତାଙ୍କ ମତରେ, ଜାତି ବ୍ୟବସ୍ଥା ହେଉଛି ବ୍ରାହ୍ମଣବାଦ କିମ୍ବା ହିନ୍ଦୁଧର୍ମର ମୁଖ୍ୟ ଅଙ୍ଗ । ଅର୍ଥାତ ବ୍ରାହ୍ମଣବାଦ ହେଉଛି ଜାତି ବ୍ୟବସ୍ଥାର ମୂଳ କାରଣ । ଜାତି ବ୍ୟବସ୍ଥା ଯୋଗୁଁ ହିଁ ସମାଜରେ ସମତା, ସ୍ୱାଧୀନତା , ଏବଂ ବନ୍ଧୁତାର ଅଭାବ ଅଛି । ତେଣୁ ସମତାମୂଳକ ସମାଜ ସୃଷ୍ଟି ପାଇଁ, ଜାତି ବ୍ୟବସ୍ଥା ଏବଂ ହିନ୍ଦୁଧର୍ମର ସମ୍ପୂର୍ଣ ବିନାଶକୁ ହିଁ ଆନ୍ଦୋଳନର ପ୍ରକୃତ ଲକ୍ଷ୍ୟ ବୋଲି ସେ ବିବେଚନା କରୁଥିଲେ । ଅନ୍ୟ ଶବ୍ଦରେ, ବ୍ରାହ୍ମଣବାଦର ଆମୂଳଚୂଳ ବିନାଶ କିମ୍ବା ପରିବର୍ତନ ବିନା ଏକ ସମତାମୂଳକ ସମାଜ ଗଠନ ଅସମ୍ଭବ ଅଟେ ।
ପୁନଶ୍ଚ, ଜାତି ବ୍ୟବସ୍ଥା କିମ୍ବା ଅସମାନତାମୂଳକ ସମାଜର ବିନାଶ ଏବଂ ସ୍ବାଧିନତା, ସମତା, ଏବଂ ବନ୍ଧୁତାମୂଳକ ବିକଳ୍ପ ସମାଜ ଗଠନରେ ଆମ୍ବେଦକର ବିଭିନ୍ନ ପ୍ରକାରର ମାଧ୍ୟମ (Means) ଗୁଡିକ ବିଷୟରେ ମଧ୍ୟ ବିଶେଷ ଦୃଷ୍ଟିପାତ କରିଅଛନ୍ତି । ଜାତି ବ୍ୟବସ୍ଥାର ବିନାଶ ଏବଂ ସମତାମୂଳକ ସମାଜ ଗଠନ ପାଇଁ ଶିକ୍ଷା, ସଂଘର୍ଷ, ଏବଂ ସଂଗଠନକୁ ଏକ ମୁଖ୍ୟ ମାଧ୍ୟମ ହିସାବରେ ଆମ୍ବେଦକର ଉଲ୍ଲେଖ କରିଅଛନ୍ତି । ସେ କହନ୍ତି, ହଜାର ହଜାର ବର୍ଷ ଧରି ଜାତି ବ୍ୟବସ୍ଥା ବଞ୍ଚି ରହିବାର କାରଣ ହେଲା ଅସବର୍ଣ କିମ୍ବା ପଛୁଆଁ ବର୍ଗ ତଥା ଦଳିତ ସମାଜ ଶିକ୍ଷାରୁ ବଞ୍ଚିତ ରହିବା । ଶିକ୍ଷା ବିନା ଶୋଷଣକାରୀ ସାମାଜିକ ବ୍ୟବସ୍ଥାକୁ ଚିହ୍ନିବା ଅସମ୍ଭବ । ଠିକ ସେହିପରି ଶିକ୍ଷିତ ବ୍ୟକ୍ତି କିମ୍ବା ଶିକ୍ଷିତ ସମାଜହିଁ ଜାତି ବିନାଶ ଆନ୍ଦୋଳନରେ ସଠିକ ଅବଦାନ କରିପାରିବେ ଏବଂ ସଂଘର୍ଷ ପାଇଁ ପ୍ରସ୍ତୁତ ହେବେ । ପରନ୍ତୁ, ଶିକ୍ଷିତ ବ୍ୟକ୍ତି ଏବଂ ସଂଘର୍ଷ ପାଇଁ ପ୍ରସ୍ତୁତି ବ୍ୟକ୍ତି ଯେ ପର୍ଯ୍ୟନ୍ତ ସଂଗଠିତ ଭାବରେ ଆନ୍ଦୋଳନ ନ କରିବେ, ସେ ପର୍ଯ୍ୟନ୍ତ ଆନ୍ଦୋଳନକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିବ ନାହିଁ । ତେଣୁ ଶିକ୍ଷିତ ଓ ସଂଘର୍ଷର ମନୋଭାବ ସଙ୍ଗେ ସଙ୍ଗ, ସଂଗଠିତ ହେବା କିମ୍ବା ସଂଗଠିତ ଭାବରେ ଲଢେଇ କରିବା ଅତ୍ୟାବଶ୍ୟକ।
ପୁନଶ୍ଚ ଯେହେତୁ ହିନ୍ଦୁଧର୍ମ ଜାତି ବ୍ୟବସ୍ଥାର ମୁଖ୍ୟ ଆଧାର ଏବଂ କେନ୍ଦ୍ର ବିନ୍ଦୁ, ଧର୍ମପରିବର୍ତ୍ତନକୁ ଆମ୍ବେଦକର ଏକ ସଠିକ ମାଧ୍ୟମ ହିସାବରେ ବିବେଚନା କରନ୍ତି । ଜାତି ବିହିନ ସମାଜ ଗଠନ ଉଦ୍ଦେଶ୍ୟରେ ଏବଂ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଆଧିକାରର ଆନ୍ଦୋଳନରେ ବାବା ସାହେବ ଆମ୍ବେଦକର ସାମ୍ବିଧାନିକ ରାଷ୍ଟ୍ରକୁ ମଧ୍ୟ ଏକ ଶକ୍ତିଶାଳୀ ମାଧ୍ୟମ ହିସାବରେ ଆଶା ପୋଷଣ କରନ୍ତି । ଆମ୍ବେଦକରଙ୍କ ପାଇଁ ଲୋକତନ୍ତ୍ର ତଥା ଗଣତନ୍ତ୍ର ହେଉଛି ଏପରି ଏକ ଶକ୍ତିଶାଳୀ ମାଧ୍ୟମ ଯାହାଦ୍ୱାରା କି ଦଳିତ ଏବଂ ଅନ୍ୟାନ୍ୟ ଅବହେଳିତ ସମାଜ ପ୍ରଥମ ଥର ପାଇଁ ଉଚିତ ଏବଂ ଆଇନ ଦୃଷ୍ଟିରେ ନ୍ୟାୟ ଏବଂ ଅଧିକାରର ଆଶା ପୋଷଣ କରି ତା ପାଇଁ ଲଢେଇ କରିପାରିଲେ । କାରଣ ଲୋକତାନ୍ତ୍ରିକ ରାଷ୍ଟ୍ର ବିନା ଅନ୍ୟ କୌଣସି ବ୍ୟବସ୍ଥା ମାନଙ୍କରୁ , ଉଚିତ ଅର୍ଥରେ ମଧ୍ୟ ନ୍ୟାୟ ଏବଂ ଅଧିକାର ପାଇଁ ଆଶା କରାଯାଇ ପାରିବ ନାହିଁ । ତେଣୁ ଲୋକତାନ୍ତ୍ରିକ ରାଷ୍ଟ୍ରକୁ ସଠିକ ହିସାବରେ ବୁଝି ତାର ଉପାଦେୟତାକୁ ଲୋକଙ୍କ ଭୌତିକ ବିକାଶରେ ଅତିକମରେ କିପରି ବ୍ୟବହାର କରାଯାଇପାରିବ, ତାହା ସମସ୍ତ ଶୋଷିତ ସମାଜକୁ ସାମୁହିକ ଦାୟିତ୍ଵର ସହ ଚିନ୍ତା କରିବାକୁ ହେବ ।
ଲୋକତନ୍ତ୍ରର ଉପାଦେୟତାକୁ କେବଳ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ସମୟରେ ମନେ ପକାଇଲେ, ତାହା ଆମ୍ବେଦକରଙ୍କ ଲୋକତନ୍ତ୍ର ତଥା ସାମ୍ବିଧାନିକ ରାଷ୍ଟ୍ରପ୍ରତି ଥିବା ଅବଦାନ ପ୍ରତି ଅସମ୍ମାନ ଏବଂ ଅପମାନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ପରନ୍ତୁ ଲୋକଙ୍କ ମୌଳିକ ଆବଶ୍ୟକତା ଆରମ୍ଭ କରି, ଲୋକେ କିପରି ସମ୍ମାନର ସହିତ ବଞ୍ଚିବାର ସୁବିଧା ସୁଯୋଗ ପାଇ ପାରିବେ, ସେ ଦୃଷ୍ଟି କୋଣରେ ଲୋକତନ୍ତ୍ରକୁ ଦେଖିବା, ବୁଝିବା, ଏବଂ ଦରକାର ସମୟରେ ରାଷ୍ଟ୍ର ସହିତ ଲଢେଇ କରି ନିଜ ଅଧିକାରକୁ ହାତ ମୁଠାକୁ ଆଣିବା ପ୍ରକୃତରେ ବାବାସାହେବ ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଦିବସ ପ୍ରତି ସଠିକ ଶ୍ରଦ୍ଧାଞ୍ଜଳୀ ହେବ ।
- ବିବେକାନନ୍ଦ ସୁନା ଜୟପୁରରେ (କୋରାପୁଟ) ଅବସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରେ ଅର୍ଥ ସାସ୍ତ୍ରର ଅଧ୍ୟାପକ ରୁପେ କାର୍ଯ୍ୟରତ।