ସତରେ ବିଶ୍ବରେ ବିରଳ ଭାରତ!
ସାରା ବିଶ୍ବରେ ଭାରତ ଏକ ପର୍ଯ୍ୟଟନ କ୍ଷେତ୍ର ଅଛୁଆଁ ମଣିଷର…
ଏଠି ଅଛୁଆଁ ମଣିଷଟି ଫସଲ ଉତ୍ପାଦନ କରେ, ଖାଦ୍ୟ ଶସ୍ୟ ଉତ୍ପାଦନ କରି ସାରା ଭାରତକୁ ଆହାର ଯୋଗାଏ; ତଥାପି ସେ ଅନ୍ୟଠୁ ସଂପୂର୍ଣ ଭିନ୍ନ ଅଛୁଆଁ ମଣିଷ । ଭାରତରେ ଅଛୁଆଁ ମଣିଷ ସକାଳୁ ଉଠି ସମଗ୍ର ଦେଶକୁ ପରିସ୍କାର କରେ କିନ୍ତୁ ସ୍ବଚ୍ଛ ସହରର ପୁରସ୍କାର ଏମାନଙ୍କୁ ଅଛୁଆଁ ସଜେଇଥିବା ଗୋଷ୍ଠୀମାନେ ପ୍ରାପ୍ତ କରନ୍ତି । ଗାଇକୁ ମା’ କହି ସାରା ଦେଶରେ ଆତଙ୍କ ସୃଷ୍ଟି କରୁଥିବା ଗୋଷ୍ଠୀ, କିନ୍ତୁ ଗାଇର ମରଶରୀର ସଢିଗଲେ ବି ଉଠାଏ ନାହିଁ, କିନ୍ତୁ ଅଛୁଆଁ ମଣିଷ ସେ କାମକୁ ଆପଣାଇନିଏ,
ତଥାପି ଆତଙ୍କର ଶୀକାର ହୁଏ ।

ସ୍ବଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କା ବିଜ୍ଞାପନରେ ବ୍ୟୟ କରୁଥିବା ସରକାର କିନ୍ତୁ ଦେଶକୁ ସ୍ବଚ୍ଛ କରୁଥିବା ଏହି ଅଛୁଆଁ ମଣିଷମାନଙ୍କୁ ବେତନ ମଧ୍ୟ ଠିକ୍ ସେ ଦିଅନ୍ତି ନାହିଁ ।
ବିଡମ୍ବନା, ସ୍ବଚ୍ଛ ସ୍ଥାନରେ କ୍ୟାମେରା ଆଗରେ ଝାଡୁ ବୁଲାଇଦେଇ ଏମାନଙ୍କୁ ଅଛୁଆଁ ସଜାଇଥିବା ଗୋଷ୍ଠୀମାନେ ଗଣମାଧ୍ୟମରେ ଚର୍ଚ୍ଚିତ ହୁଅନ୍ତି କିନ୍ତୁ ଜିବନ ଜିବନ ଧରି ଦେଶକୁ ସ୍ବଚ୍ଛ କରୁଥିବା ଏହି ଅଛୁଆଁ ମଣିଷଙ୍କୁ ଏହି ଅସ୍ବଚ୍ଛ ଗୋଷ୍ଠୀମାନେ ଭେଦଭାବର ଶୀକାର କରନ୍ତି।

ଏହି ଅଛୁଆଁ ମଣିଷ ଭିତରୁ କେହି ଶିକ୍ଷାନୁଷ୍ଠାନରେ ଶିକ୍ଷାଗ୍ରହଣ ଲକ୍ଷ୍ୟରେ ପ୍ରବେଶ କରେ; ଆରେ ଅଛୁଆଁ ମଣିଷ ତୋର ଏତେ ବହପ ତୁ ଆମ ସହ ପଢି ଆମକୁ ଅପବିତ୍ର କରିବୁ…

ହାହାହାହା….

କିନ୍ତୁ ସେହି ଅପବିତ୍ର ମାନସିକତାଧାରୀ ଗୋଷ୍ଠୀମାନେ ଭୁଲିଯା’ନ୍ତି ଯେ ଏହି ଅଛୁଆଁ ମଣିଷମାନେ ହିଁ ନିଜ ଶ୍ରମ ଲଗେଇ ଏହି ଶିକ୍ଷାନୁଷ୍ଠାନର ଅଟ୍ଟାଳିକା ତିଆରି କରିଛନ୍ତି…

ଲଜ୍ଜାଜନକ…

ବିଦେଶୀ ପର୍ଯ୍ୟଟକଙ୍କ ମନରେ ଉଙ୍କିମାରିବ ପ୍ରଶ୍ନ ଯେ ଏମାନେ ବି ତ ଆମ ଭଳି ମଣିଷ…! କିନ୍ତୁ ବ୍ରହ୍ମାଣ୍ଡର ସବୁଠୁ ଶକ୍ତିଶାଳୀ ଜାତିପ୍ରଥାର ଏକ ଅଦୃଶ୍ୟ ସ୍ତର ଏ ବୃହତ୍ତ ଜନସମୂହକୁ ଆଚ୍ଛାଦିତ କରିଛି ଯାହା କେହି ଦେଖିପାରନ୍ତି ନାହିଁ। ସେଥିପାଇଁ ହୁଏତ ବିଶ୍ବରେ ବାବାସାହେବଙ୍କ ବ୍ୟତିତ ଜାତି ବିଲୋପନ ପାଇଁ କେହି ଆଗେଇ ଆସିନାହିଁ। ଏତେ କଳଙ୍କିତ ଘୃଣିତ ପ୍ରଥା ମାନବବାଦକୁ ଧ୍ବଂସ କରିଛି, ମାନବିକତାର ମୂଲ୍ୟବୋଧର ଶ୍ବାସରୋଧ କରିଦେଇଛି। ଆଉ ବହୁଜନ ସମାଜକୁ ଅଛୁଆଁ ମଣିଷ ସଜେଇ ଅଧିକାର ହଡପ କରିନେଇଛି।

କେଉଁମାନେ ଏହି ଜାତିବାଦର ପ୍ରତିଷ୍ଠାତା…???
କେଉଁମାନେ ଏହି ଛୁଆଁ ଅଛୁଆଁ ଭେଦଭାବର ପାଳନକର୍ତ୍ତା…???
ଅତିସହଜ ଏହି ମାନବବାଦ ହତ୍ୟାକାରୀ, ମାନବ ଶୋଷଣକାରୀଙ୍କୁ ଚିହ୍ନିବା।
ଜଣେ ଅଛୁଆଁ ମଣିଷର ବିବାହ ପ୍ରସ୍ତାବ ନେଇ ସେହି ଗୋଷ୍ଠୀଙ୍କ ଘରକୁ ଗଲେ, ସେହି ମାନବବାଦ ହତ୍ୟାକାରୀଙ୍କ ପରିଚୟ ସହଜରେ ମିଳିଯିବ।

ଅନେକ ଉଦାହରଣ ମିଳିଯିବ…! କେବେ ଆସନ୍ତୁ ବୁଲି ଏହି ଅଛୁଆଁ ମଣିଷଙ୍କର ଦେଶକୁ , ଆଉ ଅମଣିଷ ଅପବିତ୍ର କଳଙ୍କିତ ମାନସିକତାଧାରୀଙ୍କ ସହ ବି ଭେଟ ହେଇଯିବ । ଭେଟହେଲେ ପଚାରିବେ, ତମେମାନେ ଯେଉଁ ଖାଦ୍ୟ ଖାଉଛ ସେ ଖାଦ୍ୟ କିଏ ଉତ୍ପାଦନ କରିଛି…? ତମେ ଯେଉଁ ବାସଗୃହରେ ରହୁଛ, ସେ ଘରକୁ କିଏ ଶ୍ରମ ଲଗେଇ ବନେଇଛି…?

ଇତ୍ୟାଦି….ଇତ୍ୟାଦି…

ଅଛୁଆଁ ମଣିଷକୁ ତମେ ଅପବିତ୍ର କହି ଘୃଣା କରୁଛ କାରଣ ତମ ମାନସିକତା ହିଁ ଅପବିତ୍ର। ଯେଉଁଦିନ ଆମେ ଆମ ମାନସିକତାକୁ ଅପବିତ୍ର କରିଦେବୁ ସେଦିନ ତମେ ଭୋକ ଉପାସରେ ମରିଯିବ।
ଆମ ଦୟାରେ ବଞ୍ଚିଛ କିନ୍ତୁ ଆମକୁ ଶୋଷଣ କରିଚାଲିଛ।

ଆଉ ବେଶି ଦିନ ନୁହେଁ…!
ସୁଧୁରିଯାଅ….!

ଲେଖକ: ଅନିଲ କୁମାର ମଲ୍ଲିକ, ଆମ୍ବେଦକରବାଦି କାର୍ଯ୍ୟକର୍ତ୍ତା ଓ ବହୁଜନ ଛାତ୍ର ସଙ୍ଗଠନ (BSYF, Odisha) ର ଜଣେ ସଦସ୍ୟ।