କୋଭିଡ19 ପ୍ରକୋପରେ ଓଡିଶାବାସୀଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ସମୟ ଉପଯୋଗୀ ପଦକ୍ଷେପ ସ୍ୱାଗତ ଯୋଗ୍ୟ। କୋରୋନା ପ୍ରଭାବିତ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଓ ଅସହାୟ, କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ମାତ୍ର ଓଡ଼ିଶାର କଳା ଓ ସଂସ୍କୃତିକୁ ରକ୍ଷା କରି, ପାରମ୍ପରିକ ଭାବେ ବଜାଇ ଆସୁଥିବା ଗଣ୍ଡାବଜା କଳାକାର ମାନଙ୍କୁ ଅଣଦେଖା କରାଯାଇଥିବାର ବିଷୟ ସଚେତନ ମହଲରେ ଚର୍ଚ୍ଚାର ବିଷୟ ରହିଛି। ତାଲା ବନ୍ଦଯୋଗୁଁ ବିବାହ ବ୍ରତ, ଯାନିଯାତ୍ରା ସବୁ ବନ୍ଦ ହୋଇଯାଇଛି। ସାମାଜିକ ଦୁରତ୍ଵକୁ ପ୍ରାଧାନ୍ୟ ଦେଇ ଲାକଡାଉନକୁ ସଫଳ କରିବା ସମସ୍ତ ମଣିଷ ସମାଜର କର୍ତ୍ତବ୍ୟ ଏବଂ ଦାୟିତ୍ୱ। ବିବାହ କାର୍ଯ୍ୟକ୍ରମ ସବୁ ବନ୍ଦ କରୁଥିବାରୁ ଗଣ୍ଡାବଜା କଳାକାରମାନେ ଜୀବିକା ହରାଇଛନ୍ତି। ଭତ୍ତା ପ୍ରାପ୍ତ କଳାକାର ମାନଙ୍କୁ ବାଦ ଦେଲେ ଭତ୍ତା ପାଉନଥିବା କଳାକାର ଢୁଲିଆ, ନିସନିଆ, ତାସା ବାଦକ, ମୁହୁରିଆ, ଝୁମକା ବାଦକ, ଏବଂ ନଚନିଆ ଇତ୍ୟାଦି କଳାକାର ପ୍ରମୂଖ ଆର୍ଥିକ ସହାୟତା ପାଇବାରୁ ବଂଚିତ ଥିବାର ନଜରକୁ ଆସିଛି। ଗଣ୍ଡାବଜା କଳାକାର ମାନଙ୍କ ଆୟ ଶୂନ୍ୟ ହୋଇ ଆର୍ଥିକ ଦୁର୍ଗତିର ଶିକାର ହୋଇଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ସେମାନଙ୍କର ଅସହାୟତା ବଢିଯାଇଛି।
ସୂଚନାଯୋଗ୍ୟ ଯେ ଜଗନ୍ନାଥ ପୁରୀର ପଣ୍ଡା ଯେଉଁମାନେ କୋଟି କୋଟି ଟଙ୍କା ଧର୍ମ ନାମରେ ତଥା ଦାନ-ଦକ୍ଷିଣା ମାଧ୍ୟମରେ ଜନତାଙ୍କଠୁ ଆଦାୟ କରୁଛନ୍ତି, ସେମାନଙ୍କ ପାଖରେ କିଛି ଅସୁବିଧା ନାହିଁ। ହେଲେ ବିଜେଡ଼ି ସରକାର ୫୦୦୦ ଟଙ୍କା ପ୍ରତ୍ୟୋକ ପଣ୍ଡାକୁ ଦେଉଛି, ଅନ୍ୟପକ୍ଷରେ ରାଜ୍ୟର ଗରିବ, ଶ୍ରମିକ ତଥା ଗରିବୀ ରେଖାରୁ ତଳେ ଥିବା ଲୋକଂକୁ ୧୦୦୦ ଟଙ୍କା ମାତ୍ରା ପରିବର ପିଛା ବିତରଣ କରିଛି। ଗଣ୍ଡାବଜା ଯାହା ସାରା ବିଶ୍ୱରେ ଖ୍ୟାତିସମ୍ପନ୍ନ, ଏବଂ ଯାହାର ସବୁ ଶ୍ରେୟ ରାଜ୍ୟ ସରକାର ନିଏ , ସେଇ ଗଣ୍ଡାବଜାକୁ ବର୍ଷ ବର୍ଷ ଧରି ବନ୍ଚେଇ ଆସୁଥିବା କଳାକାର ମାନଙ୍କୁ ଆଜିର ମହାମାରୀ ସମୟରେ କୌଣସୀ ଆର୍ଥିକ ସହାୟତା ନାହିଁ। ଯାହାଫଳରେ ସେମାନଙ୍କର ପରିବାର ଚଳିବା ମୁସ୍କିଲ ହେଇଯାଇଛି। ବିଜେଡ଼ି ସରକାର ର ଏହି ପକ୍ଷପାତିତା ନୀତି କାହିଁକି?
ଜୀବିକା ହରାଇ ଆର୍ଥିକ ଦୁର୍ଗତି ରେ କାଳାତିପାତ କରୁଥିବା ଶତାଧିକ ଗଣ୍ଡାବଜା କଳାକାରମାନଙ୍କ ନିମନ୍ତେ ପ୍ରତ୍ୟେକଙ୍କୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ସହାୟତା ପ୍ରଦାନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଳରେ ଦାବି ହେଉଛି।
୧) ପ୍ରାକୃତିକ ଶୋଭା ସଂପଦରେ ବର୍ଣ୍ଣିଳ ପଶ୍ଚିମ ଓଡିଶାର ଜନଜିବନକୁ ସ୍ବଭାବିକ ରୀତିରେ ନୃତ୍ୟ, ଗୀତ ଓ ବାଦ୍ୟ ସଂଗୀତ ଯେତିକି ବିଚିତ୍ର ସେତିକି ରସ ସିକ୍ତ । ଏ ଅଞ୍ଚଳର ପର୍ବପର୍ବାଣୀ ସାମାଜିକ ରୀତି ଚଳଣୀ ସହ ଗୀତ ବାଦ୍ୟ ଓତଃ ପ୍ରୋତଃ ଭାବେ ସଂଶ୍ଳିଷ୍ଟ। ଏହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଗଣ୍ଡାବଜାର ଗୁରୁତ୍ବ ସର୍ବାଗ୍ରେ ଗ୍ରହଣୀୟ । ଢୋଳ ,ଲିସାନ , ତାସା ,ଟିମକି ଓ ମୁହୁରୀ ଏହି ପଞ୍ଚବାଦ୍ୟକୁ ନେଇ ଗଣ୍ଡାବଜା ସଂଗଠିତ । ସାଧାରଣତଃ ଗଣ୍ଡାଜାତି ଏହାକୁ ବଜାଉଥିବାରୁ ଗଣ୍ଡାବଜା ରୁପେ ସର୍ବତ୍ର ପରିଚିତ । ଲୋକ ସଂସ୍କୃତିର ଉତ୍ସ ଯାନି ଯାତ୍ରା ତଥା ଲୋକ ଜୀବନର ବିବାହ ପରଂପରାଠାରୁ ଆରମ୍ଭ କରି ଡାଳଖାଇ , ମାଏଲାଜଡ , ଚୁଟକୁ ଚୁଟା , ରସରକେଲି , ନଚନିଆ , ଗଉରବାଡି , ସିଙ୍ଗ ଖେଳ ଆଦି କ୍ଷେତ୍ରରେ ଗଣ୍ଡାବଜା ର ବ୍ୟବହାର ଅପରିହାର୍ଯ୍ୟ , ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଗଣ୍ଡାବଜା ଲୋକ ସଂସ୍କୃତିର ଅନ୍ୟତମ ଅଙ୍ଗ ସହ ଗଣ୍ଡା ଜାତିର ଜୀବନ ଜୀବିକା ଅଟେ । ବଡ ପରିତାପର ବିଷୟ ଯେ ସରକାର ସେମାନଙ୍କୁ ସଂସ୍କୃତି ଭତ୍ତାଟିଏ କିମ୍ବା ଏହାର ସଂରକ୍ଷଣ ଓ ପ୍ରଚାର ପାଇଁ ପ୍ୟାକେଜ ଟିଏ ଦେଇ ନାହାନ୍ତି । ଏତେ ବଡ ଅଞ୍ଚଳ ର ଲୋକ ସଂସ୍କୃତିର ବାହକ ତଥା ପ୍ରଚାରକ ଙ୍କ ପ୍ରତି ନୁହେଁ ଅଧିକନ୍ତୁ ଏଅଞ୍ଚଳର ସଂସ୍କୃତି ପ୍ରତି ଏକ ବିରାଟ ଅବହେଲା ଓ ଅସମ୍ମାନ ଅଟେ । ସଂପ୍ରତି କରୋନା ଭାଇରସ ମହାମାରୀ ସମଗ୍ର ପୃଥିବୀକୁ ଗ୍ରାସ କରିଛି । ଏହି ଅନୁଯାୟୀ ସରକାର ଲକଡାଉନ ଘୋଷଣା କରିଛନ୍ତି , ଫଳସ୍ବରୁପ ଗଣ୍ଡାବଜା କୁ ନେଇ ନିଜ ପେଟ ପାଟଣା କରୁଥିବା କଳାକାର ମାନଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଛି । ତେବେ ଏପରି ଦୁଃଖ ପରିସ୍ଥିତିରେ କଳାକାର ମାନଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ସମଗ୍ର ପଶ୍ଚିମାଞ୍ଚଳ ର ଶତାଧିକ ପରିବାର ର ଦୁଃଖ ଦୂର ହେବ। -ଡକ୍ଟର ବିରେନ୍ଦ୍ର କୁମାର ବାଗ ଯାଦବ ଲୋକ ସଂସ୍କୃତିର ଗବେଷକ, ଓଡିଶା ।
୨) ମାନବ ସଭ୍ୟତା କୁ ସରସ, ସୁନ୍ଦର ଓ ସୁଦୃଢ଼ କରିବା ପାଇଁ ସାମାଜିକ ପରମ୍ପରା, ସଂସ୍କୃତି, ସଂଗୀତ, ବାଦ୍ୟ ,ନୃତ୍ୟ ଓ ଲୋକ କଳା ଗୋଟିଏ ଗୋଟିଏ ଉପାଦାନ ଅଟେ। ଏହି ସବୁ ବିଧି ବିଷୟ ବିଶ୍ବର ବିଭିନ୍ନ କୋଣରେ ବିଭିନ୍ନ ପ୍ରକାରରେ ଦୃଶ୍ୟମାନ ହୁଏ ଓ ଏହି ବିଷୟ ଗୋଟିଏ ଗୋଟିଏ ସ୍ବତନ୍ତ୍ର ଗୋଷ୍ଠୀ ବା ଜାତିର ଲୋକ ଦ୍ବାରା ପରିଚାଳିତ ହୁଏ। ଏହି ପରି ଏକ ଲୋକ କଳା ଯଥା ଗଣ୍ଡା ବଜା, ଗଣ୍ଡା ନୃତ୍ୟ ( ଡାଲଖାଇ, ରସରକେଲୀ, ଚୁଟକୁଚୋଟା, ମାଏଲାଜଡ ସମ୍ବଲପୁରୀ ନୃତ୍ୟ) ଗଣ୍ଡା ବୁଲି ( ସମ୍ବଲପୁରୀ ଭାଷା) କୁ ପଶ୍ଚିମ ଓଡିଶାର ଏକ ମୁଳନିବାସୀ ଅସ୍ପୃଶ୍ୟ ଦଳିତ ଜାତିର ଲୋକ ବଞ୍ଚାଇ ରଖି ବିଶ୍ବ ପ୍ରସିଦ୍ଧ କରିପାରିଛନ୍ତି। ଏହି ଜାତି ର ଲୋକେ ବଂଶାନୁକ୍ରମେ ଏହି କଳା ମାଧ୍ୟମରେ ଜୀବନ ଜୀବିକା ନିର୍ବାହ କରିବା ସହିତ ମାନବ ସମାଜକୁ ଶୃଙ୍ଖଳା କରିଛନ୍ତି ।ଏମାନଙ୍କ ଏହି ଜୀବନ କଳା ବର୍ଷ ର ପ୍ରାୟ ନଭେମ୍ବର ମାସ ରୁ ଜୁନ୍ ମାସ ପର୍ଯ୍ୟନ୍ତ ଚାଳିଥାଏ। ଏହି ଅବଧି ଭିତରେ ସାମାଜିକ, ସାଂସ୍କୃତିକ, ମାଙ୍ଗଳିକ, କର୍ମକାଣ୍ଡ ଓ ପୂଜା ପାର୍ବଣରେ ଏହି ସବୁ କଳାର ନିତାନ୍ତ ଆବଶ୍ୟକ ପଡୁଥିବାରୁ ଏହି ଗଣ୍ଡା ଜାତିର ଲୋକ ବର୍ଷର ଜୀବିକା ଖର୍ଚ୍ଚ ଉପାର୍ଜନରେ ସକ୍ଷମ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ, ଯେଉଁ ସମୟରେ ଏହି ସବୁ ପରମ୍ପରା ହୁଏ ସେହି ସମୟରେ ଚଳିତ ବର୍ଷ ସାରା ବିଶ୍ବ କୋରୋନା ଭୂତାଣୁ ସଂକ୍ରମଣ ଭୟରେ ତାଲାବନ୍ଦ ରହିଛି। ଯାହାଫଳରେ ସମସ୍ତ ପ୍ରକାର ବିନୋଦନ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଏହି ବିଶ୍ବ ବିଦିତ ଲୋକ କଳାକାର ମାନେ ବହୁତ ଦୁର୍ଦ୍ଦିନ ରେ ଜୀବନ ନିର୍ବାହ କରୁଛନ୍ତି। ଏପରି ବିଶ୍ବ ଆପଦ ସମୟରେ ଲୋକ କଳାକାର ଗଣ୍ଡା ଜାତି ପ୍ରତି ସରକାର ଯଦି ସ୍ବତନ୍ତ୍ର ରିଲିଫ ଯୋଜନା ନ କରନ୍ତି ତାହାହେଲେ ଏହି ଗରିବ ଭୂମିହିନ ସଂପ୍ରଦାୟ ରୋଗ ଅପେକ୍ଷା ଭୋକ ଉପାସରେ ମରିଯିବେ। ଏଣୁ ଏପରି ଦୁର୍ଲ୍ଲଭ କଳାକାର ଜାତି କୁ ବଞ୍ଚାଇ ରଖିବା ପାଇଁ ସ୍ୱତନ୍ତ୍ର ଖାଦ୍ୟ ରିଲିଫ୍ ବ୍ୟବସ୍ଥା କରିବା ପାଇଁ ମୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବି ଜଣାଉଛି।
– ନାରାୟଣ ଭେଶ୍ରା, ଜିଲ୍ଲା ସଭାପତି ଲଖେଘର ଗଣ୍ଡା ସମାଜ ସେବା ସଂଘ, ବରଗଡ଼।
୩) ପଶ୍ଚିମ ଓଡିଶାର ଶୋଭା ତଥା ରାଜ୍ୟବାସୀଙ୍କ କଳା ସଂସ୍କୃତି କୁ ବିଶ୍ବ ସ୍ତରରେ ଉଲ୍ଲେଖନୀୟ ଅବଦାନ ଦେଇ ଆସୁଥିବା ଗଣ୍ଡାବଜା ଢୋଲ , ନିସାନ , ତାସା , ମୁହୁରୀ , ନଚନିଆ କଳାକାର ମାନଙ୍କ କୋଭିଡ ୧୯ ଯୋଗୁଁ ମେରୁଦଣ୍ଡ ଭାଙ୍ଗିଯାଇଛି । ଏହି ପାରଂପାରିକ ଗଣ୍ଡାବଜା କଳାକାରଙ୍କ ମଧ୍ୟରୁ କିଛି କଳାକାର ଭତ୍ତା ପାଉଥିବା ବେଳେ ଅନେକ କଳାକାର ଏଥିରୁ ବଞ୍ଚିତ ଅଛନ୍ତି । ଗଣ୍ଡାବଜା କଳାକାର ଅଧିକାଂଶ ଭୂମିହୀନ ହୋଇଥିବା ବେଳେ କେବଳ ବଜା ବଜାଇବା ତାଙ୍କର କାମ ହୋଇଥାଏ, ଫୁଷପୁନି ସରିଲା ପରେ ଫେବୃଆରୀ ମାସ ରୁ ଆରମ୍ଭ ହୋଇ ଜୁନ ମାସ ଯାଏ ବଜାବଜାଇ କଳାକାରଙ୍କ ରୋଜଗାର ହୋଇଥାଏ । ଛଅ ମାସ କାଳ ଲୋକଙ୍କର ବିବାହ ବ୍ରତ କାର୍ଯ୍ୟକ୍ରମ ର ଭରସାରେ ଯାହା ଆୟ ହୁଏ ସେଥିରୁ ଚଳିଥାନ୍ତି ଏହି କଳାକାର ମାନେ । ବର୍ତ୍ତମାନ ଜୀବିକା ନପାଇ ଅସୁବିଧାରେ ଅଛନ୍ତି । ତେଣୁ ଏହି କଳାକାର ମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମ ପଞ୍ଚାୟତ ସ୍ତରରେ ମାଗଣା PDS ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ଯୋଗାଇବା ଅତ୍ୟନ୍ତ ଜରୁରୀ ।
-ଭୋଜରାଜ ବାଗ, ସଭାପତି, ଲଖେଘର ଗଣ୍ଡା ସମାଜ, ଝାରବନ୍ଧ ବ୍ଲକ, ବରଗଡ଼।
- ମୋତିଲାଲ୍ ବାଗ୍ , ଝାରବନ୍ , ବରଗଡ଼ ।