ସେମାନେ ଆମ ରକ୍ତ ଶୋଷି ଚାଲିଲେ,
ଆମେ ସହିଗଲେ।
ଆମ ରକ୍ତରେ ସେମାନେ ଇତିହାସ ଲେଖିଲେ
ତାଙ୍କ ସାମ୍ରାଜ୍ୟର ଇତିହାସ,
ଆମେ ସହିଗଲେ।
ସେଇ ଇତିହାସ ଭାଷାରେ ଆମର ପରିଚୟ ଲୁଟିଲେ
ତାଙ୍କ କୂଳର ପରିଚୟ ସ୍ଵାର୍ଥେ,
ଆମେ ସହିଗଲେ।
ପୁଣି ମୁକ୍ତ ବଜାରରେ ଆମର ଆୟ ଖାଇଲେ
ସବୁ ସମ୍ପଦକୁ ହାତମୁଠି ରେ ବନ୍ଦ କରି,
ଆମେ ସହିଗଲେ।
ଆମ ସଭ୍ୟତା ଭାଙ୍ଗି ନିଜ ସଭ୍ୟତାର ସ୍ଥାଣୁ ଗଢିଲେ
ବ୍ରାହ୍ମଣବାଦୀ ସବର୍ଣ୍ଣ ସଭ୍ୟତା,
ଆମେ ସହିଗଲେ।
ଆମ ସଂସ୍କୃତିର ସ୍ତମ୍ଭ ଉପରେ ମିଛ ରଙ୍ଗ ବୋଲିଲେ
କହିଲେ ଏ ପରା ବିକାଶ,
ଆମେ ସହିଗଲେ।
ଆମ ଅସ୍ତିତ୍ବକୁ ଦଳିଦେଇ ସ୍ମାର୍ଟ ସିଟି ବନାଇଲେ
କମ୍ପାନୀରାଜ ଚଲାଇଲେ,
ଆମେ ସହିଗଲେ।
ଆମକୁ ଅସଭ୍ୟ କହି ନିଜକୁ ସଭ୍ୟ ଆଖ୍ୟା ଦେଲେ
ଆମ ଧମନୀର ସବୁ ରକ୍ତ ଶୋଷିନେଲେ,
ଆମେ ସହିଗଲେ।
ହେଲେ ଆମେ ସହିଗଲୁ କାହିଁକି?
କାହିଁକିନା ପ୍ରତିବାଦର ମୌକା ଭି ମିଳି ନଥିଲା ଆମକୁ।
ଆମେ ସହିଯାଇନେ, ଫସିଯାଇଛେ?
ହେଲେ ଏବେ ପ୍ରତିବାଦ କରିବା।
କିନ୍ତୁ ସାବଧାନରେ!
ଏମାନେ ବିଚିତ୍ର ରଙ୍ଗଧାରୀ- ବହୁବର୍ଣ୍ଣୀ ଏଣ୍ଡୁଅ,
ମୁଖାପିନ୍ଧା ସଇତାନ।
ଏବେ ମିଥ୍ୟା କବଚ ପିନ୍ଧି ଆସିଛନ୍ତି
ଆମର ସାହାଯ୍ୟ କରିବାକୁ କୁଆଡେ।
ସେଇ ମିଥ୍ୟା କଠୋର ସାଞ୍ଜୁ ତଳେ
ପୁଣି ଲୁଟିନେବେ ଆମକୁ।
ସାବଧାନରେ!
ଏମାନେ ପରା ବ୍ରାହ୍ମଣ- ସବର୍ଣ୍ଣ- ପୁରୁଷବାଦୀ
କେମିତି ଛାଡିବେ ଅର୍ଥ ଆଉ ଶକ୍ତିର ଲାଳସା?
ସିଂହାସନ ଆଉ ପଦବୀର ମୋହ?
ଏମାନେ ମାତ୍ର ମୁଖା ପିନ୍ଧି ଅଟ୍ଟହାସ୍ୟ କରୁଛନ୍ତି
ଆମର ଆର୍ତ୍ତନାଦ ଉପରେ।
ଏମାନଙ୍କ ସାଞ୍ଜୁ ତଳର ସଇତାନ ହୋଇପାରେ ସୁପ୍ତ,
ମାତ୍ର ମୃତ ନୁହେଁ।
ସାବଧାନରେ!
ଆମେ ଲଢ଼ିବା।
ଉଠିବ ଏ ନିଶାଚରଙ୍କ
ବିରୁଦ୍ଧେ ଶବ୍ଦ।
ଶବ୍ଦ ହେବ ଆମର
ଭାଷା ହେବ ଆମର,
ଶକ୍ତି ହେବ ଆମର,
ସଂଘର୍ଷ ହେବ ଆମର,
ଆନ୍ଦୋଳନ ହେବ ଆମର,
ଯହିଁରେ ନଥିବେ କେଉଁ
ବ୍ରାହ୍ମଣବାଦ ଅଘୋର ଲିପା କନ୍ଦର୍ପ।
ତେବେ ହେବ ଆମର ଜିତ।
*କବି : ସ୍ନେହାଶିଷ ଦାସ,
ସେ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟରେ ସମାଜଶାସ୍ତ୍ର ରେ ଅଧ୍ୟୟନ କରୁଅଛନ୍ତି, ନୂଆ ଦିଲ୍ଲୀ ।