ମୁଁ ଲେଖିବାକୁ ଚାହେଁ
ମୋ କବିତା କାନ୍ଧରେ
ମୁଣ୍ଡ ରଖି କାନ୍ଦିପାରୁଥିବା
ସମାଜ ର
ଶୋଷିତ, ନିଷ୍ପେସିତ
ନିରୀହ, ବିରହ
ଶ୍ରମିକ, କୃଷକ, ପ୍ରେମିକ
ଅଛୁଆଁ, ଅଲୋଡ଼ା ଓ
ନିର୍ଯାତିତ ନାରୀ ମନର
ଅକୁହା ଅଶୁଣା କଥା…
ମୁଁ ଲେଖିବାକୁ ଚାହେଁ
ମୋ କବିତା ପ୍ରାଣରେ
ଜୀବନ୍ତ ହୋଇ କହିପାରୁଥିବା
ନଦୀ, ନାଳ
ନିର୍ଝର, ସାଗର
ବାୟୁ, ବ୍ୟୋମ
ଗିରି, କନ୍ଦର
ଜମି, ଜଙ୍ଗଲ
ପଶୁ, ବିହଙ୍ଗ
ହୃଦୟର ଅସରନ୍ତି ବ୍ୟଥା…
ମୁଁ ଲେଖିବାକୁ ଚାହେଁ
ମୋ କବିତା ଲହୁରେ
ଲୁହା ପାଲଟି
ପ୍ରଶ୍ନ କରି ପାରୁଥିବା
ଭୋଟର, ଚାକର
ବିଧବା, ସଧବା
ଖଟିଖିଆ, ମଜୁରିଆ
ଅନାଥ ଏବଂ ଅକର୍ମଣ୍ୟର
ଜୀବନ, ଜୀବିକା, ଜୀଇଁବାର
କୋହଭରା କଥା …
ମୁଁ ଲେଖିବାକୁ ଚାହେଁ
ଛଳ, ବଳ, କଳର
ସାହାରା ନେଇ
ମଣିଷକୁ ପଶୁତୁଲ୍ୟ
ଶୋଷଣ କରି
ଗରିବ ହାଡ଼ମାଂସରେ
ନଭଶ୍ଚୁମ୍ବୀ ଅଟ୍ଟାଳିକା
ଠିଆ କରିଥିବା
ସେ ମିଛୁଆ ଲାଞ୍ଚୁଆ
ଅଧିକାରୀ, ଠିକାଦାର
ଓ ନେତାମନ୍ତ୍ରୀ ଙ୍କ କଥା
ସାହସ ଓ ନିର୍ଭିକ ହୋଇ
ମୃତ୍ୟୁ ସହିତ, ମୃତ୍ୟୁ ପର୍ଯ୍ୟନ୍ତ
ମୁଁ ଲେଖିବାକୁ ଚାହେଁ
ମୁଁ ଲେଖିବାକୁ ଚାହେଁ
ମୁଁ ଲେଖିବାକୁ ଚାହେଁ….

  • କବି:- ନବ ଦୀପ ବୌଦ୍ଧ, ବୋୖଦ୍ଧ ଜିଲ୍ଲା।