ଝାର୍ ପତର୍ ଲଟା ଭିତରେ
ଜଙ୍ଗଲ୍ ଖମନ୍ ହୁ କରୁଥିଲା
ମାଇଜି ନାଇ କି ମୁନସ୍ ନାଇ
ବାଗ୍ ଡୁର୍କା ଚେରେ ଚିର୍ଗୁଲ୍
ସଭେ ବସା ହୀ ଥିଲା ।
ବାଟ ନାଇ କି ଘାଟ ନାଇ ଥିଲା
ଆଏଲା ସୂରତା କରି
ଜଙ୍ଗଲ ଖମନେ କୁରୀଆ ବନାଲା
ମାଁ ଧରନି କେ ଆଶ୍ରା କରି ।
ଜଙ୍ଗଲ ଖମନ ଘର ହେଲା ତାର
ଫଲ ମୂଲ ହେଲା ଆହାର୍
କୁକରା ଛେମ୍ରା ଦେଇ
ବିନ୍ତି କଲା ସେ ଧର୍ନି ମାଁ କେ
ସୁନବା ବୋଲି ତାର ଗୁହାର୍ ।
ଜଙ୍ଗଲ ଭିତରେ ଦିନ କଟାଲା
କିଏ ନାଇ ଥିଲା ସାହା
ମାଁ ଧରନି ତାକେ ପୋ ବନେଇକରି
ବିପଦେ ଆପଦେ ହେଲା ଠିଆ ।
ହାତୀ ନଦୀର ପାଏନ ପିଇ କରି ସେ
ପରାନ ବଚେଇ ଥିଲା
ଗଣା ବୁଡା ଆଏଲା ଯେ ତାକେ
ପୋ ଗୋଟେ ମିଲ୍ ଲା ।
ଦୁଇ ବାପ୍ ପୋ ଗୋଟେ ଠାନେ ଯୁଡ଼ି
ଠଏବ୍ କଲେ ଆମର୍ ଗାଁ କେ
ଦୁଇଜନ୍ ମିଶି ଗାଁର୍ ଭାବେ ଦେଲେ
ଆମାଦୁଲା ତାର୍ ନା କେ ।
ପୁଝାରୀ ଗଣା ସବୁ ଯାକର ଲୋକ
ଗୋଟେ ଠାନେ ବସା ହେଲେ
ଜଙ୍ଗଲ ଖମନ୍ ନିପାତ୍ କରି
ଚାସ୍ ବାସ୍ ଆରମ୍ କଲେ ।
କେତେ କଷ୍ଟ କଲା ପୂଜାରୀ ଦଦା
ଜମି ସବୁ କେ ଚାଷ ଉପଯୋଗୀ କଲା
ସେ ଜମି କେ ଦେଖ ରଜାର ଶାସନ ବଲେ
ବାଗଧରା ଗହଟିଆ ନେଲା ।
ଭଇନିପଟନିଆ ରଜା ଖେଲ କଲା
ଗୋଟେ ଟଙ୍କା ଦୁଇ ଟଙ୍କା ନେ ସବୁ ବିକି ଦେଲା
ବାମନ୍ ଗହଟିଆ କେ ଆନି ମହାଜନ କଲା
ଆରୁ ପୁଝାରୀ ଗଣାର୍ ବସା କେ ଘିନି ନେଲା ।
ଛିଟ୍ ଛିଟ୍ ଜମିନ୍ କେ ଅକ୍ତିଆର କଲା
ଗାଁର୍ ପୂଜାରୀ ଗଣା କେ ଭାଗ ଖଣେ ଦେଲା ।
ନାଇ ପାଉଥିଲେ ଖାଇବା କେ ଲୁକେ
ଭୂତି ଖଟି ଦିନ୍ ଗଲା ।
ସକାଲୁ ବେଲ୍ ବୁଡ଼ା ତକ୍ ଖଟ୍ଲେ ଲୋକ୍ କେ
ଅଡେକ୍ ଧାନ ଦଉଥିଲା
ଧାନ୍ କୁଟି କରି ପେଜ୍ ଉତ୍ରା ଲେ
ଅରନ୍ ଟିକେ ମିଲୁଥିଲା।
କୁଟ୍ଲା ଧାନ୍ କେ ଉଖ୍ଲେଇ କରି
ମଡ଼୍ ଥିର୍ ପିଉ ଥିଲେ
ଆର୍ ଗୋଟେ ପହର୍ କେ ଖାଇମୁ ବଲି
ଚଉଲ କେ ଶୁଖଉ ଥିଲେ ।
ଧେନ୍ ଧେନ୍ ରେ ରଜା ଗହଟିଆ
ଏତେ ଦୁଃଖ୍ ଦରଦ୍ ଦେଲ
ଗଣା ପୂଜାରୀ କେ ଡରେଇ ଢ଼ୁପେଇ ତମେ
ସବ୍କେ ଗୁଲାମ୍ ବନାଲ ।
ଦିନ ଥିଲା ସେଟା ଲୋକ ବାକର୍ କଥା
ପୂଜାରୀ ଗଣା ବୁଝୁ ଥିଲା
ଶଭେ ଯାକର ଆମେ ଭାଇ ବନ୍ଧୁ କୁଟୁମ୍
ମିଶିକରି ଗୋଟେ ଥିଲା ।
ରମାକାନ୍ତ ନାଏକ କଳାହାଣ୍ଡି ର ଜୁନାଗଡ଼ ସ୍ଥିତ ଏକ ଛୋଟ ଗାଁ ଅମ୍ବଦୁଲା ରୁ ଆସନ୍ତି ଏବଂ ସେ ବର୍ତ୍ତମାନ ମୁମ୍ବାଇ ସ୍ଥିତ ଟାଟା ସାମାଜିକ ବିଜ୍ଞାନ ଶିକ୍ଷାନୁଷ୍ଠାନ ରେ ପି.ଏଚ୍.ଡି. ଅଧ୍ୟୟନ କରୁଅଛନ୍ତି।