ଜାନୁଆରୀ ୧ ତାରିଖ, ମସିହା ୨୦୨୩, ନୁଆବର୍ଷ |  ମୁଁ ବାହାରି ପଡ଼ିଥାଏ ଯାତ୍ରାରେ, ବାଙ୍ଗାଲୋରକୁ | ରାଉରକେଲା ରୁ ରାଞ୍ଚିକୁ ରେଳରେ ଏବଂ ସେଠାରୁ ଉଡ଼ାଜହାଜରେ ବାଙ୍ଗାଲୋରକୁ | ଜାନୁଆରୀ ୨ ତାରିଖରେ ଅଫିସ୍ ଯିବାକୁ ହେବ | ଯଦିଓ ରାଞ୍ଚି ମୋ ଗାଁଠୁ ସେତେବାଟ ନୁହଁ କିନ୍ତୁ ମୁଁ କେବେ ଯାଇନି | ଯିବା ପାଇଁ ବହୁତ ଉତ୍ସାହ ଲାଗୁଛି | ଦୀର୍ଘ ଶତାବ୍ଦୀ ପୁର୍ବେ ଆମ ପୁର୍ବପୁରୁଷ ଛୋଟାନାଗପୁରରୁ ରାଉରକେଲାକୁ ଆସିଥିଲେ | ସେତେବେଳେ ସୁନ୍ଦରଗଡ଼ ଜିଲ୍ଲା ଦୁଇଟି ରାଜ୍ୟରେ ବିଭକ୍ତ ଥିଲା, ବଣାଇଁ ଏବଂ ଗାଙ୍ଗପୁର | ଏହି ଦୁଇ ରାଜ୍ୟର ଅଧିକାଂଶ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ ଥିଲା ଏବଂ କେବଳ ଏକ ଦଶମାଂଶ ଅଞ୍ଚଳରେ ଚାଷ ହେଉଥିଲା |   କୁଆଡ଼େ ଏହି ଦୁଇ ରାଜ୍ୟର ରାଜାମାନେ ଛୋଟାନାଗପୁରର କୃଷିପ୍ରାଧାନ୍ୟ ଆଦିବାସୀମାନଙ୍କୁ   ତାଙ୍କ ରାଜ୍ୟକୁ ଆସି ଜଙ୍ଗଲ ସଫା କରି କୃଷି କରିବା ପାଇଁ ଉତ୍ସାହିତ କରିଥିଲେ | ସେବେଠୁ ଆଦିବାସୀମାନେ କୃଷି ଉପରେ ନିର୍ଭର କରି ଚଳି ଆସୁଛନ୍ତି | ପ୍ରଥମ ଥର ପାଇଁ ମୋ ପୁର୍ବପୁରୁଷଙ୍କ ଗାଁ ଯାଉଥିବାରୁ ବହୁତ ଖୁସି ଲାଗୁଛି | ଜାମୁତାୱି ଏକ୍ସପ୍ରେସ୍ ରେ ବସିଲି | ପାଖରେ ବସିଥାନ୍ତି ସମ୍ବଲପୁରର ଗୋଟିଏ ପରିବାର, ରାଞ୍ଚି ଯାଉଥାନ୍ତି ତାଙ୍କ କେହି ସମ୍ପର୍କୀୟଙ୍କୁ ଦେଖାକରିବା ପାଇଁ | ଗୋଟିଏ ଛୋଟ ଛୁଆ ମଧ୍ୟ ତାଙ୍କ ସାଥିରେ ଥାଏ | ବୟସ ତାର ଦୁଇ ତିନି ବର୍ଷ ହେବ | କେହି ଫେରିବାଲା ଆସିଲେ ଚକେଟ୍ ଖାଇବି ଚକେଟ୍ ଖାଇବି କହୁଥାଏ | ଟ୍ରେନ୍ ଟି ଧିରେ ଧିରେ ଛାଡ଼ିଲା | ମୁଁ ଝରକା ଆଡ଼କୁ ଅନାଇ ଥାଏ, ରାଉରକେଲା ରୁ ରାଞ୍ଚିକୁ ଯିବା ବାଟରେ ଥିବା ଆମ ଆଦିବାସୀଙ୍କ ଗାଁ ଗୁଡ଼ିକୁ  ଦେଖିବା ପାଇଁ | ମହୁଲ ଗଛ ଦେଖିବି, ଶାଳ, ପିଆଶାଳ, ଆମ୍ବ, ତେନ୍ତୁଳି ଗଛଗୁଡ଼ିକୁ ଦେଖିବି, ଗାଈଗୋରୁ ଚରୁଥିବା ଦେଖିବି, ଗାଁ ମୁଣ୍ଡରେ ବହିଯାଉଥିବା ନଈ ଦେଖିବି ଇତ୍ୟାଦି ଇତ୍ୟାଦି… | ଆଉ ବିଶେଷ କରି ପୁଆଳ ମଞ୍ଚା  ଦେଖିବି | ପୁଆଳ ମଞ୍ଚା ଟି ଆଦିବାସୀ ଗାଁର ପ୍ରତିକ | କାରଣ ଏହାକୁ ଦେଖି ଯେ କୌଣସି ଲୋକ ଗାଁଟି ଆଦିବାସୀଙ୍କ କି ନୁହଁ ତାହା ଅତି ସହଜରେ ଅନୁମାନ କରି ପାରିବ | ପ୍ରାୟତଃ ଆଦିବାସୀଙ୍କ ଗାଁ ଗୁଡ଼ିକରେ ଥିବା   ପୁଆଳ ମଞ୍ଚା  ଗୁଡ଼ିକ ଛଅଟି ବଡ଼ ବଡ଼ ଖୁଣ୍ଟ ଉପରେ ଛିଡ଼ା ହୋଇଥାଏ |  କାରଣ ଆଦିବାସୀମାନେ ଜଙ୍ଗଲ କିମ୍ବା ଙ୍ଗଲ ପାଦଦେଶରେ ବସବାସ କରନ୍ତି ତେଣୁ ସେମାନେ ଅତି ସହଜରେ ବଡ଼ ବଡ଼ ଖୁଣ୍ଟ ଯୋଗାଡ଼ କରି ପାରିଥାନ୍ତି ଏବଂ ପୁଆଳକୁ ବେଶି ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ଉପରେ  ରଖିଥାନ୍ତି | କିନ୍ତୁ ଅଣ ଆଦିବାସୀମାନେ ପ୍ରାୟତଃ ଜଙ୍ଗଲ ଉପରେ ସେତେ ନିର୍ଭରଶୀଳ ନୁହଁନ୍ତି ଏବଂ ସେଥିପାଇଁ ବଡ଼ ବଡ଼ ଖୁଣ୍ଟ ଯୋଗାଡ଼ କରି ପାରି ନ ଥାନ୍ତି | ତେଣୁ ସେମାନେ ପୁଆଳକୁ ଭୁଇଁରେ ଗଦା କରିଥାନ୍ତି | ଆଗେ ଏହି ପୁଆଳ ମଞ୍ଚା ଗୁଡ଼ିକୁ ଦେଖି କେହି ମଧ୍ୟ ଅନୁମାନ କରି ପାରୁଥିଲେ ଯେ କୋଉ ଆଦିବାସୀ ପରିବାର ପାଖରେ କେତେ ଜମି ଅଛି କିମ୍ବା ପରିବାରଟି ଖାଦ୍ୟ ସୁରକ୍ଷିତ ଅଟେ ନା ନୁହଁ | ବର୍ତ୍ତମାନ କିନ୍ତୁ ଏହା ଅନୁମାନ କରିବା ବହୁତ କଠିନ | କାରଣ ଆଦିବାସୀ ମାନେ ମଧ୍ୟ ଧାନ ଚାଷ ଛାଡ଼ି ନଗଦ ଫସଲ ଚାଷ ଆଡ଼କୁ ମୁହାଇଲେଣି | ଜଗତିକରଣର ପ୍ରଭାବରେ ଆଦିବାସୀ ସମାଜ ଧିରେଧିରେ ବିମୁଦ୍ରୀକରଣ ହେବାରେ ଲାଗିଛି |ପାରସ୍ପରିକତା  ମଧ୍ୟ ଉଭା ହେବାରେ ଲାଗିଛି |

ଆଗେ ଚାଷ କାର୍ଯ୍ୟ,  ଘର ମରାମତି ତଥା ଅନ୍ୟ କାର୍ଯ୍ୟଗୁଡ଼ିକରେ ପାରସ୍ପରିକତା ବେଶ୍ ଭୂମିକା ଗ୍ରହଣ କରୁଥିଲା | ଲୋକମାନେ ପଡ଼ୋଶୀଙ୍କ କିଛି କାମରେ ଯୋଗଦେବାକୁ ଯାଉଥିଲା ବେଳେ କହୁଥିଲେ  ମୁଁ ସହାୟତା କରିବା ପାଇଁ ଯାଉଛି | ଆଦିବାସୀଙ୍କ ଭାଷାରେ ଏହାକୁ “ମଦଇତ୍” କୁହାଯାଏ | ଏହି ସାମାଜିକ ପ୍ରଥାରେ ସାହିର ପ୍ରାୟତଃ ସବୁ ପରିବାର ଯୋଗଦାନ କରୁଥିଲେ ଏବଂ ଏଥିପାଇଁ ସେମାନେ କିଛି ପାଉଣା ନେଉ ନ ଥିଲେ | ସେମାନଙ୍କୁ କେବଳ ଗୋଟିଏ ବେଳର ଅତି ସାଧାରଣ ଖାଦ୍ୟ (ଡାଲି ଭାତ) ପରସା ଯାଉଥିଲା | ଏଥିରେ ସମସ୍ତେ ବେଶ୍ ସନ୍ତୁଷ୍ଟ ଅନୁଭବ କରୁଥିଲେ | ଯୋଉ  ପରିବାର  ପାଇଁ ମଦଇତ୍ ଯାଉଥିଲେ ସେ ପରିବାର ପାଇଁ ସେଦିନଟି ପର୍ବ ଭଳି ଅନୁଭବ ହେଉଥିଲା | ଲୋକମାନେ ମଧ୍ୟ ସେହି ପରିବାରର ପର୍ବରେ ସାମିଲ୍ ହେଉଥିଲେ | ଏହି ମଦଇତ୍ ପ୍ରଥାଟି ଗାଁ ଲୋକଙ୍କୁ ନିବିଡ଼ ଭାବେ ବାନ୍ଧି ପାରୁଥିଲା | କିନ୍ତୁ ଏହା ବର୍ତ୍ତମାନ ଉଭେଇ ଗଲାଣି | ଏବେ ଆଉ ଲୋକମାନେ ମଦଇତ୍ ଯାଆନ୍ତି ନାହିଁ | ସେମାନେ “ହାଜିରି” କିମ୍ବା ମଜୁରୀ କରିବାକୁ ଯାଆନ୍ତି | ଯଦିଓ ସେମାନେ ପଡ଼ୋଶୀଙ୍କ କାର୍ଯ୍ୟରେ ଯୋଗ ଦିଅନ୍ତି ସେଥିପାଇଁ ସେମାନେ ପାଉଣା ପାଆନ୍ତି | ଏହି ପରିବର୍ତ୍ତନ ଯୋଗୁଁ ଆଦିବାସୀ ସମାଜରେ  ପାରସ୍ପରିକତା ମନୋଭାବ ଆଉ ସେତେ ନାହିଁ ଏବଂ ଏହା ଆଦିବାସୀ ସମାଜକୁ ଧିରେ ଧିରେ ଉଜାଡ଼ିବାରେ ଲାଗିଛି | ଏହିସବୁ ପରିବର୍ତ୍ତନ ହେବା ସତ୍ତ୍ବେ ପୁଆଳ ମଞ୍ଚା ଟି କିନ୍ତୁ ଏପର୍ଯ୍ୟନ୍ତ ଉଭେଇ ନାହିଁ, ଯଦିଓ ଏହାର ଆକାରରେ ପରିବର୍ତ୍ତନ ହୋଇଛି, କାରଣ ଆଦିବାସୀମାନେ ଏପର୍ଯ୍ୟନ୍ତ କୃଷି ଉପରେ ନିର୍ଭରଶୀଳ ଅଟନ୍ତି |

 

ଗାଁ ଛାଡ଼ି ଯିବାବେଳେ ଏହି ପୁଆଳ ମଞ୍ଚା ଏବଂ ଅନ୍ୟ ଜିନିଷ ଗୁଡ଼ିକ ଯାହା ଗାଁର ସୁନ୍ଦର ପ୍ରକୃତିକୁ ବ୍ୟାଖ୍ୟା କରିଥାଏ ସେ ସବୁ ଉପରୁ ନଜର ହଟୁ ନ ଥାଏ, କାରଣ ଏମିତି ଅନୁଭବ ହେଉଥାଏ ଯେ ଏସବୁ ମୁଁ ଶେଷଥର ପାଇଁ ଦେଖୁଛି | ଏ ସବୁକୁ ନେଇ ପିଲାବେଳର ପ୍ରତ୍ୟକ ସ୍ମୃତିଟି ଆଖି ଆଗରେ ଝଲସି ଉଠୁଥାଏ | ଆମ୍ବ ତୋଳିବା, ମହୁଲ ବାଛିବା, ଜମି ହିଡ଼ରେ ଚାଲିବା, ଗାଁ ଦାଣ୍ଡରେ ପିଠୁ ଖେଳିବା, କଙ୍କି ଲାଞ୍ଜରେ ସୂତା ବାନ୍ଧି ତା ପଛରେ ଦୌଡ଼ିବା ଇତ୍ୟାଦି | ଏ ସବୁ ଭାବୁ ଭାବୁ ଆଖିରୁ ଦୁଇ ଟୋପା ଲୁହ ଝରିଗଲା | ମୋ ସହଯାତ୍ରୀ ମାନେ କିଛି ଭାବିବା ପୂର୍ବରୁ ମୁଁ ରୁମାଲ୍ ବାହର କରି ଲୁହ ପୋଛି ଦେଲି ଆଉ ଆଖିରେ କିଛି ପଶି ଯାଇଥିବା ବାହାନା କଲି | ତାପରେ ଆଖିବୁଜି ଶୋଇବା ବାହାନା କଲି ଯଦ୍ୱାରା ଆଖିରୁ ଆଉ ଲୁହ ଝରିବନି | ଆଖି ବନ୍ଦ କରିବା ସତ୍ତ୍ବେ ସେଇ ସ୍ମୃତି ସବୁ ପୁଣି ଜଳଜଳ ଦେଖା ଯାଉଥାଏ | ଝରକା ବାହାରକୁ ଦେଖିବାକୁ ମନ ହେଉଥାଏ | କିନ୍ତୁ କାଳେ ଲୁହ ଝରିଯିବା ଭୟରେ ଆଖି ଖୋଲିବାକୁ ସାହସ ହେଉ ନ ଥାଏ | କିଛି ସମୟ ଆଖି ନ ଖୋଲିବାରୁ ନିଦ ମାଡ଼ିଗଲା | ବାହାରର ଥଣ୍ଡା ପବନଟି ନିଦକୁ ଆହୁରି ଗଭୀର କରୁଥାଏ | ହଠାତ୍ ମୋ ପାଦରେ କିଛି ସ୍ପର୍ଶ ହେଲାପରି ଅନୁଭବ ହେଲା | ଚାହିଁ ଦେଖିଲା ବେଳକୁ ଗୋଟିଏ ଆଠ ନଅ ବର୍ଷର ପିଲାଟି ଝାଡୁ ମାରୁଛି ଏବଂ ଲୋକଙ୍କଠୁ କିଛି ପଇସା ପାଇବା ଆଶାରେ ହାତ ବଢ଼ାଉଛି | ମୋ ମନ ବିଚଳିତ ହୋଇପଡ଼ିଲା | ଚେହେରାଟି ତାର ମଳିନ ପଡ଼ିଥାଏ | ମୁହଁରେ ତାର ହସକି ଶବ୍ଦଟିଏ ନ ଥାଏ | ସତେ ଯେମିତି ପିଲାବେଳର ଖେଳକୁଦ, ହସଖୁସି ତା ଠାରୁ କେହି ଛଡ଼ାଇ ନେଇଥାଏ | ନଈରେ ଡେଇଁବା, ଗଛରୁ ଆମ୍ବ ତୋଳିବା, ଗାଁ ଦାଣ୍ଡରେ କିତ୍ କିତ୍ ଖେଳିବା, ଏ ସବୁ ତା ଭାଗ୍ୟରେ ନ ଥାଏ | ପରିବାରର ଆର୍ଥିକ ବୋଝ  ତାକୁ କଲମ, ଖାତା ପରିବର୍ତ୍ତେ ଝାଡୁ ଧରାଇ ଦେଇଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଥାଏ | ମୁଁ ତା ହାତକୁ କିଛି ପଇସା ବଢ଼ାଇ ଦେଲି | ମୋ ସହ ଯାତ୍ରୀମାନେ ମଧ୍ୟ କିଛି ପଇସା ଦେଲେ | କିନ୍ତୁ ପଇସା ପାଇଲା ପରେ ମଧ୍ୟ ତା ଚେହେରାରେ କିଛି ପରିବର୍ତ୍ତନ ଦେଖାଗଲାଣି | କାରଣ ସେ ଜାଣିଛି ଯେ ଏଇ କିଛି ପଇସା ତା ପରିବାରର ଆର୍ଥିକ ପରିସ୍ଥିତିକୁ ସୁଧାରି ପାରିବନି ଏବଂ ତାକୁ କାଲି ପୁଣି ଟ୍ରେନ୍ ରେ ଝାଡୁ ମାରିବାକୁ ପଡ଼ିବ | ପଇସା ପାଇଲା ପରେ ସେ ଗୁରୁଣ୍ଡି ଗୁରୁଣ୍ଡି ଝାଡୁ ମାରି ଆଗକୁ ବଢ଼ିଲା | ଯଦିଓ ତା ଗୋଡ଼ ଦୁଇଟି ଭଲ ଥାଏ କିନ୍ତୁ ତା ପରିବାରର ସ୍ଥିତି ତାକୁ ସିଧା ଛିଡ଼ା ହେବାକୁ ଦେଉ ନ ଥାଏ | ସେ ଯିବା ପରେ ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ | ଟ୍ରେନ୍ ରେ ଝାଡୁ ମାରୁଥିବା ଏଇ ପିଲାମାନେ କିଏ? କଣ ଏଇ ପିଲାମାନଙ୍କ ପାଇଁ ସରକାରଙ୍କ କିଛି ଯୋଜନା ନାହିଁ କି? କିଛି ସମୟ ଭାବିଲା ପରେ ମନେ ପଡ଼ିଲା, ସାତ ଆଠ ବର୍ଷ ପୁର୍ବେ ମୁ ଏବଂ ମୋ ସାଙ୍ଗମାନେ ହାଇଦ୍ରାବାଦରୁ ସମ୍ବଲପୁରକୁ ଟ୍ରେନ୍ ଯୋଗେ ଯାତ୍ରା କରିବା ବେଳେ ଏହି ସମାନ ଦୃଶ୍ୟ ଦେଖିବାକୁ ପାଇଥିଲୁ ଏବଂ ଏହା ଉପରେ ଚର୍ଚ୍ଚା ମଧ୍ୟ କରିଥିଲୁ | ସେଇ ଚର୍ଚ୍ଚାକୁ ମନେ ପକାଇ ଅନୁମାନ କରିଲି ଯେ ଏମାନେ  ବଞ୍ଜାରା  କିମ୍ବା ଯାଯାବର ଜୀବନଯାପନ କରୁଥିବା ସମ୍ପ୍ରଦାୟର ଅଟନ୍ତି | ଏହି ସମ୍ପ୍ରଦାୟକୁ କିଛି ରାଜ୍ୟରେ ଆଦିବାସୀ ଗୋଷ୍ଠୀ ତାଲିକାଭୁକ୍ତ କରାଯାଇଛି | ମୁଁ ସେ ପିଲାଟିର ପରିଚୟ ସମସ୍ତଙ୍କ ସାମନାରେ ପଚାରିବା ଉଚିତ୍ ମଣିଲିନି | କିନ୍ତୁ  ଏହା ମୋତେ ଏହି ସମ୍ପ୍ରଦାୟର ସାମାଜିକ-ଆର୍ଥିକ ପରିସ୍ଥିତି ଏବଂ ସେମାନଙ୍କ ଇତିହାସ ବିଷୟରେ କିଛି ଭାବିବା ପାଇଁ ବାଧ୍ୟ କଲା |

 

ଇତିହାସ ପୃଷ୍ଠାରୁ ଜଣାପଡ଼େ ଯେ ବଞ୍ଜାରା ଲୋକମାନେ ପଶୁପାଳକ, ପଶୁ ପ୍ରଜନନ ବିଶେଷଜ୍ଞ, ବ୍ୟବସାୟୀ ଏବଂ ଭାରତର ଆଭ୍ୟନ୍ତରୀଣ ଅଞ୍ଚଳକୁ ସାମଗ୍ରୀ ପରିବହନକାରୀ ଭାବେ ବେଶ୍ ଜଣାଶୁଣା ଥିଲେ | ସେମାନଙ୍କ ଘଞ୍ଚ ଜଙ୍ଗଲ ଏବଂ ଦୁର୍ଗମ ଅଞ୍ଚଳକୁ ଯାତାୟତ କରିବାର କ୍ଷମତା ଯୋଗୁଁ ଶାସକମାନେ ପ୍ରାୟତଃ ବାର୍ତ୍ତା ଏବଂ ଅସ୍ତ୍ରଶସ୍ତ୍ର ପରିବହନ କରିବା ପାଇଁ ସେମାନଙ୍କ ଉପରେ ନିର୍ଭରଶୀଳ ଥିଲେ | ସେମାନେ ରାଜପୁତ ଏବଂ ମରାଠା ସେନାବାହିନୀ ଏପରିକି ବ୍ରିଟିଶ ସରକାରଙ୍କ ପାଇଁ ମଧ୍ୟ କାମ କରିଥିବାର ଇତିହାସ ପୃଷ୍ଠାରେ ପ୍ରମାଣ ମିଳେ | ସେମାନେ ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ | ସେମାନଙ୍କ ସମ୍ପର୍କ ଗ୍ରାମବାସୀଙ୍କ ସହ ବେଶ୍ ଭଲଥିଲା, କାରଣ ସେମାନେ ଅତ୍ୟାବଶ୍ୟକ ଜିନିଷଗୁଡ଼ିକୁ ଲୋକମାନଙ୍କୁ ଉପଲବ୍ଧ କରାଉଥିଲେ | ବଞ୍ଜାରା ଲୋକଙ୍କ ବିଭିନ୍ନ ଗ୍ରାମର ଲୋକଙ୍କ ସହ ଆଦାନପ୍ରଦାନକୁ  ବ୍ରିଟିଶ ସରକାର ସନ୍ଦେହ ଦୃଷ୍ଟିରେ ଦେଖିଲା | ବ୍ରିଟିଶ ସରକାର ଏହି ଭ୍ରମଣକାରୀ ଗୋଷ୍ଠୀଗୁଡ଼ିକ ଲୋକଙ୍କ ମଧ୍ୟରେ ରାଜଦ୍ରୋହ ଉତ୍ପନ କରୁଥିବା ସନ୍ଦେହ କଲା | ଏଣୁ ସେମାନଙ୍କୁ ସ୍ଥାୟୀଭାବେ ବସାଇ ଜୀବନଯାପନ କରିବାକୁ ବାଧ୍ୟ କଲା | ସେମାନଙ୍କ ଭ୍ରମଣ ଉପରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟ ଲଗାଇଲା |ଏପରିକି ପଡ଼ୋଶୀ ଗାଁକୁ ଯିବାକୁ ହେଲେ ସେମାନଙ୍କୁ ଥାନାରେ ଲିଖିତ ବିବରଣୀ ଦେବାକୁ ପଡୁଥିଲା |ଏହି ସବୁ ପ୍ରତିବନ୍ଧକ ସେମାନଙ୍କ ଆର୍ଥିକ ସ୍ଥିତିକୁ ପଙ୍ଗୁ କରିଦେଲା | ଶେଷରେ ଉପାୟ ନ ପାଇ କିଛି ଲୋକମାନେ ଚୋରି ଏବଂ ଡକାୟତିକୁ ନିଜର ପେଶା ଭାବେ ଆପଣେଇନେଲେ | ବ୍ରିଟିଶ ସରକାର ଏହି କାରଣରୁ ସେମାନଙ୍କୁ ଅପରାଧିକ ଜନଜାତି ଅଧିନିୟମ, ୧୮୭୧ ରେ ଅନ୍ତର୍ଭୁକ୍ତ କଲା |ସେହିପରି ପାରଧି ଆଦିବାସୀମାନେ ଦକ୍ଷ ଶିକାରୀ ଭାବେ ବେଶ୍ ଜଣାଶୁଣା ଥିଲେ | ସେମାନେ ପ୍ରାଚୀନ ଅସ୍ତ୍ରଶସ୍ତ୍ର ବ୍ୟବହାର ଏବଂ ଗରିଲା ଯୁଦ୍ଧରେ ଅତ୍ୟନ୍ତ ନିପୁଣ ଥିଲେ | ସେମାନେ ଅନେକ  ବ୍ରିଟିଶ ଶାସନ ବିରୁଦ୍ଧରେ ବିଦ୍ରୋହରେ ଭାଗ ନେଇଥିଲେ ଏବଂ ବ୍ରିଟିଶ ସରକାର ପାଇଁ ଏକ ବିପଦ ସାବ୍ୟସ୍ତ ହୋଇଥିଲେ | ସେମାନଙ୍କୁ ଦମନ କରିବା ପାଇଁ ବ୍ରିଟିଶ ସରକାର ତାଙ୍କୁ ମଧ୍ୟ ଅପରାଧିକ ଜନଜାତି ଅଧିନିୟମ ଅନ୍ତର୍ଭୁକ୍ତ କଲା | ଏହିପରି ପ୍ରାୟ ୨୦୦ ରୁ ଉର୍ଦ୍ଧ ଗୋଷ୍ଠୀଙ୍କୁ ଏହି ତାଲିକା ଭୁକ୍ତ କରାଗଲା | ଫଳ ସ୍ଵରୂପ ସମାଜ ସେମାନଙ୍କୁ ଡକାୟତ ଗୋଷ୍ଠୀ ଭାବରେ ପରିଚିତ କଲା ଏବଂ ସେମାନଙ୍କୁ ସମାଜରୁ ବିଚ୍ଛିନ୍ନ କରିଦେଲା | ଏହି ଭ୍ରମ ଧାରଣା ଦଶକ ଦଶକ ଧରି ଚଳିଆସିଲା | ସେମାନଙ୍କୁ ଶିକ୍ଷାଗତ ତଥା ନିଯୁକ୍ତି ସୁଯୋଗରୁ ବାଦ୍ ଦିଆଗଲା | ଫଳରେ ସେମାନଙ୍କ ପାଖରେ ଭିକ୍ଷାବୃତ୍ତି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିଲା ନାହିଁ | ୧୯୪୯ ମସିହାରେ ଏହି ଅଧିନିୟମକୁ ରଦ୍ଦ କରାଗଲା ଏବଂ ୧୯୫୨ ମସିହାରେ ସେମାନଙ୍କୁ ବିମୁକ୍ତ ଜାତି ଘୋଷଣା କରାଗଲା | କିନ୍ତୁ ଅପରାଧିକ ଜନଜାତି ଅଧିନିୟମର କଳଙ୍କ ଲିଭିଲା ନାହିଁ | ସ୍ୱାଧୀନତାର ସାତ ଦଶକ ପରେ ମଧ୍ୟ ଏହି ଭ୍ରମ ଧାରଣା ପ୍ରଚଳିତ ଅଛି ଏବଂ ଏହା ସେମାନଙ୍କୁ ସମାଜରୁ ବିଚ୍ଛିନ୍ନ କରୁଛି |

 

ଏ ସବୁ ବିଷୟରେ ଗଭୀର ମନ୍ଥନ କରୁଥିବା ବେଳେ ହଠାତ୍ ଟ୍ରେନ୍ ଝରକାରୁ ଧୂଳି ମିଶ୍ରିତ ପବନ ଆସି ମୋ ମୁହଁରେ ବାଡ଼େଇ ହେଲା | ଝରକା ବାହାରେ ଚାହିଁ ଦେଖିଲା ବେଳକୁ ଦୁଇଟି ବୁଲଡୋଜର୍ ତାଙ୍କ ବଡ଼ ବଡ଼ ନଖ ଦ୍ୱାରା ଭୁଇଁକୁ ରାମ୍ପୁଡ଼ିବାରେ ଲାଗିଛନ୍ତି | ରେଳ ବିସ୍ତାର କାମ ଚାଲିଛି | ବୁଲଡୋଜର୍ ର ରାମ୍ପୁଡ଼ାରେ ମାଟି ଲାଲ୍ ଦେଖାଯାଉଛି ସତେ ଯେମିତି ଧରଣୀ ବକ୍ଷରୁ ଲୋହୁ ବହୁଛି | ଯେଉଁ ଜାଗାରେ ଦୁଇ ତିନି ଦିନ ପୁର୍ବେ ରାମ୍ପୁଡ଼ା ପଡ଼ିଛି ସେଇଠି ଘାଆ ଶୁଖିଯାଇଛି ଏବଂ ଶରୀରଟା ଫିକା ଧଳା ଦେଖାଯାଉଛି | ତା ମଧ୍ୟରେ ଧରଣୀ କୋହଭାରା ଶବ୍ଦରେ  କିଛି କହୁଥିବା ମୁ ଶୁଣିବାକୁ ପାଇଲି |

“ରେ ଦାନବ ଆଉ କେତେ  ରାମ୍ପୁଡ଼ିବୁ ମୋ ବକ୍ଷକୁ, ମୋ ଶରୀରରୁ ସବୁ ସମ୍ପଦ ବାହାର କରି ସାରିଲୁଣି ଆଉ ମେଟ୍ରୋ ସହରର ବଡ଼ବାବୁଙ୍କୁ ସବୁ ଦେଇଦେଲୁ, କିନ୍ତୁ ଯିଏ ମୋତେ ଜନ୍ମ ଜନ୍ମ ଧରି ସୁରକ୍ଷା ଦେଇ ଆସୁଛି ତାକୁ  ଦେଲୁ କଣ? ଗୋଳାବାରୁଦ, ଲାଠିମାଡ଼, ପ୍ରଦ୍ୟୁଷଣ, ରୋଗ ଏଇ ସବୁ ଦେଇପାରିଲୁ? ସେମାନଙ୍କ ଭାଗ୍ୟରେ କଣ  ଏଇସବୁ ହିଁ ଥିଲା? ସେମାନେ କଣ ତୋ ଦେଶର ନାଗରିକ ନୁହଁନ୍ତି? ଧିକ୍ ତୋତେ ଆଉ ତୋ  ସରକାରକୁ |” ଏହି କୋହଭରା ଶବ୍ଦ ରେଳ ବିସ୍ତାର ହେଉଥିବା ଜାଗାର କେବଳ ନ ଥିଲା | ଏହା ଖଣି ଅଞ୍ଚଳରେ ଧରଣୀ ଗର୍ଭରୁ ବାହାରୁଥିବା କାନ୍ଦବୋବାଳିର ପ୍ରତିଧ୍ୱନୀ ଥିଲା | ଖଣି ଅଞ୍ଚଳରେ ଏହି ଦାନବଙ୍କ ସଂଖ୍ୟା ଅଧିକ | ଏମାନେ ରାତିରେ ମଧ୍ୟ ଶୁଅନ୍ତି ନାହିଁ | ସମ୍ପଦ ଲୋଭରେ ଦିନରାତି ଧରଣୀରବକ୍ଷକୁ କ୍ଷତ ବିକ୍ଷତ କରିବାରେ ଲାଗିଥାନ୍ତି | ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ୍ (୨୦୨୧-୨୦୨୨) ଅନୁଯାୟୀ ଖଣିଜ ଉତ୍ପାଦନର ମୂଲ୍ୟ ଦୃଷ୍ଟିରୁ ଓଡ଼ିଶା ଜାତୀୟ ଉତ୍ପାଦର ୪୪.୧୧ ଅଂଶ ସହ ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି | ଏହାପରେ ଛତିଶଗଡ଼ (୧୭.୩୪%), ରାଜସ୍ଥାନ (୧୪.୧୦%), କର୍ଣ୍ଣାଟକ (୧୩.୨୪%),   ଏବଂ ଝାଡ଼ଖଣ୍ଡ (୪.୩୬%) ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି | ଏତଦ୍ ବ୍ୟତିତ, ୨୦୨୧-୨୦୨୨ ମସିହାରେ ଓଡ଼ିଶା (୯୪.୮୯%), ଝାଡ଼ଖଣ୍ଡ (୯୦.୧୮%), କର୍ଣ୍ଣାଟକ (୬୨.୨୨%) ଏବଂ ଛତିଶଗଡ଼ (୬୦.୮୮%) ରାଜ୍ୟ ମାନଙ୍କ ଖଣିଜ ଉତ୍ପାଦନର ମୂଲ୍ୟରେ ସବୁଠାରୁ ବେଶି ବୃଦ୍ଧି ହୋଇଛି[1] |

 

କିଛି ମାସ ପୁର୍ବେ ମୁଁ କୋଇଡ଼ା ଖଣି ଅଞ୍ଚଳ ଦେଇ ଯାତ୍ରା କଲାବେଳେ ଏକ ହାଇୱା ଟ୍ରକ୍ ପଛପଟେ “ଖଣିର ରାଜା” ଲେଖାଥିବା ଦେଖିବାକୁ ପାଇଲି |ଏହା ଦେଖି ମୋତେ ଏମିତି ମନେହେଉଥିଲା ଯେ ପୁଞ୍ଜିପତିମାନେ ସରକାରୀ ସଂସ୍ଥା ସହାୟତାରେ ଆଦିବାସୀମାନଙ୍କୁ ତାଙ୍କ ଅଞ୍ଚଳରୁ ବିସ୍ଥାପନ କରି ନିଜକୁ ସେ ଅଞ୍ଚଳର ରାଜା ଘୋଷଣା କରୁଛନ୍ତି | ଫେର୍ଣନଣ୍ଡେସ୍ ଏବଂ ପରଞ୍ଜପଏ (୧୯୯୭) ତାଙ୍କ ଏକ ଗବେଷଣାରେ ଆକଳନ କରନ୍ତି ଯେ ଭାରତରେ ସମୁଦାୟ ୨୧୩ ଲକ୍ଷ ବିସ୍ଥାପିତଙ୍କ ମଧ୍ୟରୁ ୨୫.୫ ଲକ୍ଷ କେବଳ ଖଣିଜ ଉତ୍ପାଦନ ଯୋଗୁଁ ବିସ୍ଥାପନ ହୋଇଛନ୍ତି | ଅନ୍ୟ ପକ୍ଷରେ ନରସିଂହମ୍ ଏବଂ ସୁବାରାଓ (୨୦୧୮) ତାଙ୍କ ପ୍ରବନ୍ଧରେ ଉଲ୍ଲେଖ କରନ୍ତି ଯେ ଖଣିଜ ଉତ୍ପାଦନ ଏବଂ ଶିଳ୍ପାୟନ ଯୋଗୁଁ ଆଦିବାସୀଙ୍କ ଅଞ୍ଚଳରେ ଅଣ ଆଦିବାସୀ ପ୍ରବାସୀ (ଦିକୁ)ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ୧୯୩୧ ରୁ ୧୯୯୧ ମସିହା ମଧ୍ୟରେ ଝାଡ଼ଖଣ୍ଡ ର ସିଂହଭୂମ୍ ଅଞ୍ଚଳରେ ଆଦିବାସୀ ଜନସଂଖ୍ୟା ୫୪.୦୮ ରୁ ୪୨.୨୮ ପ୍ରତିଶତକୁ ହ୍ରାସ ପାଇଛି | ପୁଣି ୧୯୮୧ ମସିହାରେ ଧନବାଦ ଜିଲ୍ଲାର ସମୁଦାୟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୩୨ ପ୍ରତିଶତ ଲୋକ ପ୍ରବାସୀ ଥିବା ତାଙ୍କ ଲେଖାରୁ ଜଣାପଡ଼େ | ଏହି ଜାତିଗତ ଜନସଂଖ୍ୟାରେ ପରିବର୍ତ୍ତନ ଆଦିବାସୀଙ୍କ ଗଡ଼ରେ ଗଢ଼ି ଉଠିଥିବା ପ୍ରାୟ ପ୍ରତ୍ୟେକ ଶିଳ୍ପାଞ୍ଚଳରେ ଦେଖିବାକୁ ମିଳେ | ଏହି ପରିବର୍ତ୍ତନ ଯୋଗୁଁ ଆଦିବାସୀମାନେ ଶିଳ୍ପାଞ୍ଚଳମାନଙ୍କରେ ନିଜର ସ୍ୱାୟତ୍ତତା ହରାଇ ବସିଲେଣି, କାରଣ ପ୍ରବାସୀମାନେ ସ୍ଥାନୀୟ ଅର୍ଥନୀତି ଓ ଶାସନ ବ୍ୟବସ୍ଥାକୁ କବ୍ଜା କରିନେଲେ । ଖଣି କାର୍ଯ୍ୟକଳାପ ଏବଂ ଶିଳ୍ପାୟନ ଯୋଗୁଁ ଆଦିବାସୀମାନେ ନିଜର ଜମି ହରାଇଲେ | ତେଣୁ ସେମାନେ ଖଣି କିମ୍ବା କାରଖାନାରେ ଦିନ ମଜୁରିଆ ଭାବେ କାମକରି ନିଜର ଗୁଜୁରାଣ ମେଣ୍ଟାଇଲେ | କିନ୍ତୁ ସମୟାନୁକ୍ରମେ ଯାନ୍ତ୍ରିକରଣ ଯୋଗୁଁ ପ୍ରାୟମାନେ ଛଟେଇର ଶିକାର ହେଲେ | ଅନ୍ୟ ପକ୍ଷରେ ଦିକୁମାନେ ଅଣ ଆଦିବାସୀ ଠିକାଦାର ଓ ନିୟୁକ୍ତିଦାତାଙ୍କ ସହଯୋଗ ପ୍ରାପ୍ତ କରି କାରଖାନା ଗୁଡ଼ିକରେ କୁଶଳୀ ଏବଂ ଅର୍ଦ୍ଧ-କୁଶଳୀ ଚାକିରୀଗୁଡ଼ିକୁ ହାତେଇବାରେ ସକ୍ଷମ ହେଲେ | ପୁଣି ସ୍ଥାନୀୟ ଅର୍ଥନୀତିକୁ ନିୟନ୍ତ୍ରଣକୁ ଆଣି ନିଜର ଆର୍ଥିକ ସ୍ଥିତିକୁ ମଜବୁତ୍ କରିବା ପାଇଁ ସେମାନେ ବ୍ୟବସାୟିକ କାର୍ୟ୍ୟକଳାପରେ ନିଜର ପ୍ରାଧାନ୍ୟ ବିସ୍ତାର କରିଲେ । ଏହା ଫଳରେ ଆଦିବାସୀମାନେ ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ହେବାରେ ଲାଗିଲେ | ଶିଳ୍ପାୟନ ଯୋଗୁଁ ଆଦିବାସୀ ଅଞ୍ଚଳରେ ଗଢ଼ି ଉଠିଥିବା ସହର ମାନଙ୍କରେ ଏହି ଆର୍ଥିକ ବୈଷମ୍ୟ ସ୍ପଷ୍ଟ ଦେଖିବାକୁ ମିଳେ । ସହରର ମଧ୍ୟଭାଗରେ ଦିକୁଙ୍କ ବଡ଼ ବଡ଼ କୋଠା ଠିଆ ହୋଇଥିବା ବେଳେ, ଅଧିକାଂଶ ଆଦିବାସୀମାନେ ସହରର ଉପାନ୍ତ ଅଞ୍ଚଳରେ  ଝୁମ୍ପୁଡ଼ି କିମ୍ବା ମାଟି ଘରେ ରହୁଥିବା ଦେଖାଯାଏ | ପୁଣି ସହରାଞ୍ଚଳରେ ଦିକୁମାନେ ବଡ଼ ବଡ଼ ଦୋକାନ କରି ବ୍ୟବସାୟ କରୁଥିବା ବେଳେ ଆଦିବାସୀମାନେ ରାସ୍ତାକଡ଼ରେ କିମ୍ବା ଫୁଟପାଥ୍ ରେ ବସି ପନିପରିବା ଏବଂ ଜଙ୍ଗଲଜାତ ଦ୍ରବ୍ୟ ବିକୁଥିବାର ଦୃଶ୍ୟ କିଛି ଅଜଣା ନୁହେଁ | ଶିଳ୍ପାୟନ ଯୋଗୁଁ ସୃଷ୍ଟି ହୋଇଥିବା ଏହି ଆର୍ଥିକ  ବୈଷମ୍ୟ ଆଦିବାସୀମାନଙ୍କୁ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଦୁର୍ବଳ କରିଦେଲା ଏବଂ ଦିକୁମାନଙ୍କୁ ତାଙ୍କର ଆଧିପତ୍ୟ ବିସ୍ତାର କରିବାରେ ବେଶ୍ ସହାୟକ ହେଲା | ଏହିପରି ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ କେତେ ଯେ ଶିଳ୍ପାଞ୍ଚଳ ଗଢ଼ି ନ ଉଠିଛି କିନ୍ତୁ ଏହା ଆଦିବାସୀଙ୍କ ପାଇଁ ଅଭିଶାପ ସାବ୍ୟସ୍ତ ହୋଇଛି |

 

ଏ ସବୁ ବିଷୟ ଉପରେ ବିଶ୍ଲେଷଣ କରୁ କରୁ କେତେବେଳେ ସମୟ କଟିଗଲା ଜଣା ପଡ଼ିଲାଣି | ଟ୍ରେନ୍ ଟି ରାଞ୍ଚି ପହଞ୍ଚିଲା | ରାଞ୍ଚି ରେଳ ଷ୍ଟେସନ୍ ରୁ ମୁଁ ବିର୍ସା ମୁଣ୍ଡା ବିମାନ ବନ୍ଦରକୁ ବାହାରିପଡ଼ିଲି | ସୁରକ୍ଷା ତଦାରଖ ହେଲାପରେ  ପ୍ରତୀକ୍ଷାଳୟରେ ବସି ମୁଁ ବିମାନକୁ ଅପେକ୍ଷା କରୁଥାଏ | ମୋ ସହଯାତ୍ରୀମାନେ ମଧ୍ୟ ଅପେକ୍ଷା କରୁଥାନ୍ତି | ବୋର୍ଡିଂଗ୍ ପାଇଁ ଧାଡ଼ିରେ ଛିଡ଼ାହେବା ପାଇଁ ଘୋଷଣା ହେଲା | ଯେଉଁମାନଙ୍କ ସିଟ୍ ବିମାନର ପଛ ଭାଗରେ ଥିଲା  ସେମାନଙ୍କୁ ପ୍ରଥମେ ଡକାଗଲା | ସମସ୍ତେ ଆଗ ଯିବା ପାଇଁ ତରବର ହୋଇ ଧାଡ଼ିରେ ଛିଡ଼ା ହେଲେ | ମୁ କିନ୍ତୁ ବସିଥାଏ | ମୋ ସିଟ୍ ଟି ଆଗପଟେ ଥାଏ ସେଥିପାଇଁ କିଛି ତରବର ହେବାର ନଥିଲା | ଧାଡ଼ି ଛୋଟହେଲେ ମୁ ଉଠିବି | ଧିରେ ଧିରେ ଧାଡ଼ି ଛୋଟ ହେବାରେ ଲାଗିଲା ଏବଂ ମୁଁ ମୋ ବେଗ୍ କୁ ହାତରେ ଧରି ଛିଡ଼ା ହେବାକୁ ଲାଗିଲି | ସେତେବେଳେ ହଠାତ୍ ମୋ ସାମନାରେ ଏକ ଧନୀ ପରିବାର ଆସି ବସିଲେ | ବୋଧେ ଦିଲ୍ଲୀ ଯାଉଥିଲେ, କାରଣ ସେଇଠି ଦିଲ୍ଲୀ ପାଇଁ ପରବର୍ତ୍ତୀ ବୋର୍ଡିଂଗ୍ ଥିଲା |ପରିବାର ସାଥିରେ ଜଣେ ୩-୪ ବର୍ଷର ପିଲାଟିଏ ଥିଲା | ଯେତେବେଳେ ସେମାନେ ଆସିଲେ ତାଙ୍କ ପଛେ ପଛେ ଜଣେ ୧୯-୨୦ ବର୍ଷ ବୟସର ଝିଅଟିଏ ମଧ୍ୟ ଆସିଲା | ତାର ଦୁଇ ହାତରେ ବେଗ୍ ଥାଏ | ଗୋଟିଏ ହାତରେ ନିଜ ଜିନିଷପତ୍ର ଆଉ ଅନ୍ୟ ହାତରେ ସେ ପରିବାରର ଜିନିଷପତ୍ର | ତାକୁ ଦେଖିଲା କ୍ଷଣି ଅନୁମାନ କରିଲି ଯେ, ସେ ଜଣେ ଆଦିବାସୀ ଝିଅ ଆଉ ଘର ଚାକରାଣୀ ଭାବେ ସେ ତାଙ୍କ ଘରେ କାମ କରେ | ଏହା ମଧ୍ୟରେ ମୋତେ ବୋର୍ଡିଂଗ୍ ପାଇଁ ଯିବାକୁ ପଡ଼ିଲା | ତାକୁ ଦେଖି ମୋ ମନ ବିଚଳିତ ହୋଇପଡ଼ିଲା | ଏ ପର୍ଯ୍ୟନ୍ତ ମୁଁ ଆଦିବାସୀ ଝିଅମାନେ ଘର ଚାକରାଣୀ ଭାବେ ମେଟ୍ରୋ ସହରକୁ ନିଆଯାଉଥିବା ଘଟଣା ଖବରକାଗଜ ଏବଂ ପ୍ରବନ୍ଧ ରେ ପଢ଼ିଥିଲି | କିନ୍ତୁ ଏବେ ମୁଁ ନିଜ ଆଖିରେ ଦେଖିଲି | ଏହି ଦୃଶ୍ୟ କେବଳ ଗୋଟିଏ ନୁହଁ, ଆଦିବାସୀ ଅଞ୍ଚଳ ଏବେ ଘର ଚାକରାଣୀ ଯୋଗାଣର ଉତ୍ସ ଭାବେ ଉଭା ହୋଇଛି | ପ୍ରତ୍ୟକ ବର୍ଷ କେତେ ଯେ ଆଦିବାସୀ ଝିଅ ମେଟ୍ରୋ ସହରକୁ ଦଲାଲ୍ ଙ୍କ ସହାୟତାରେ ନିଆ ଯାଆନ୍ତି ତାହାର ହିସାବ ନାହିଁ | ତା ମଧ୍ୟରେ କେତେ ଯେ ଆଦିବାସୀ ଝିଅ ଚାଲାଣର ଶିକାର ହୁଅନ୍ତି ତାହାର ମଧ୍ୟ ହିସାବ ନାହିଁ | ନୀତା ଏନ୍ (୨୦୦୪) ତାଙ୍କ ଏକ ଗବେଷଣାରେ ଦର୍ଶାନ୍ତି ଯେ, ଦିଲ୍ଲୀରେ ଘର ଚାକରାଣୀ ଭାବେ କାମ କରୁଥିବା ସମୁଦାୟର ପ୍ରାୟ ୫୨% ଝାଡ଼ଖଣ୍ଡରୁ ଏବଂ ୧୩% ଓଡ଼ିଶାରୁ ଆସିଥାନ୍ତି | ପୁଣି ଘର ଚାକରାଣୀଭାବେ କାମ କରୁଥିବା ସମୁଦାୟରୁ ୯୩% ଆଦିବାସୀ ସମ୍ପ୍ରଦାୟର ଅଟନ୍ତି | ୨୩ ଏପ୍ରିଲ୍ ୨୦୧୩ ରେ ଟାଇମ୍ସ୍ ଓଫ୍ ଇଣ୍ଡିଆରେ ପ୍ରକାଶ ପାଇଥିବା ଏକ ପ୍ରବନ୍ଧ ଦର୍ଶାଏ ଯେ  ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରିପୋର୍ଟ୍ ଅନୁଯାୟୀ ପ୍ରତ୍ୟକ ବର୍ଷ ୩୩,୦୦୦ ଝିଅ  ଘରୋଇ ଚାକରାଣୀ କିମ୍ବା ଶ୍ରମିକ ଭାବେ କାମ କରିବା ପାଇଁ ଏବଂ ଏପରିକି ବେଶ୍ୟାଳୟକୁ ଚାଲାଣ ହୋଇଥାନ୍ତି | ୧୫ ଡିସେମ୍ବର ୨୦୧୭ ରେ ଦି ଟେଲିଗ୍ରାଫ୍ ରେ ପ୍ରକାଶ ପାଇଥିବା ଏକ ପ୍ରବନ୍ଧ ସ୍ପଷ୍ଟ କରେ ଯେ ୨୦୦୨ ରୁ ୨୦୧୪ ମସିହା ମଧ୍ୟରେ ଓଡ଼ିଶାର ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରାୟ ୪୩,୦୦୦-୪୪,୦୦୦ ମହିଲା ଓ ଝିଅମାନେ ଚାଲାଣ ହୋଇଛନ୍ତି |‌

 

ବିମାନରେ ବସି ଏ ସବୁ ବିଶ୍ଲେଷଣ କରୁଥିବା ବେଳେ  ହୃଦୟରେ ବହୁତ କଷ୍ଟ ହେଉଥାଏ | ଦିନ ଥିଲା କେତେ ସୁନ୍ଦର ଥିଲା ଆମ ଆଦିବାସୀ ସମାଜ | ସାମାଜିକ ସମ୍ପର୍କ ଏବଂ ତାର ପରିବେଶ  କେତେ ଯେ ମନୋରମ ନ ଥିଲା | କିନ୍ତୁ ଆଜି ସେଇ ପୁଞ୍ଜିବାଦ  ସବୁକୁ ଛାରଖାର କରିଦେଇଛି, ସମାଜକୁ ଉଜାଡ଼ି ଦେଇଛି, ସମ୍ପଦ ହାତେଇବା ଲୋଭରେ ପ୍ରତ୍ୟକଦିନ ଦାନବ ପରି ରାମ୍ପୁଡ଼ିବାରେ ଲାଗିଛି ଏବଂ ଶରୀରକୁ କ୍ଷତବିକ୍ଷତ କରୁଛି | ଏହି  ପରିବର୍ତ୍ତନ ଉଚ୍ଚ ଆକାଶରୁ ସ୍ପଷ୍ଟ ଦେଖାଯାଉଥାଏ | କୋଉଠି ଜଙ୍ଗଲ ସଫାହୋଇ ବାଞ୍ଜର ଭୁମି ଦେଖାଯାଉଛି ତ କୋଉଠି ପ୍ରାକୃତିକ ସମ୍ପଦ କଢ଼। ଯାଇ ବଡ଼ ବଡ଼ ଗାତ ଦେଖାଯାଉଛି | ଆଉ କୋଉଠି ବଡ଼ବଡ଼ ମହଲ ଠିଆ ହୋଇଛି | ଏ ସବୁ ଦୃଶ୍ୟ ଆଉ ସହି ହେଲାନି | ମୁଁ ଉଡ଼ାଜହାଜ ଝରକାରୁ ମୋ ନଜର ହଟେଇଦେଲି |

 

References

Fernandes, W. & Paranjpye, V. (1997). Rehabilitation Policy and Law in India: A Right to Livelihood, Indian Social Institute, New Delhi.

Giri, R. (2013, April 23). 5 lakh child labourers in Jharkhand, says study. Times of India. https://timesofindia.indiatimes.com/city/ranchi/5-lakh-child-labourers-in-jharkhand-says-study/articleshow/19687752.cms

Mohanty, R., (2017, December 15). Human trafficking worry for Sundargarh. The Telegraph. https://www.telegraphindia.com/odisha/human-trafficking-worry-for-sundargarh/cid/1394096

Narasimham, S., & Subbarao, D. V. (2018). Impact of mining on tribal socio-economic and environmental risks in India. Economic affairs63(1), 191-202.

Neetha, N. (2004). Making of female breadwinners: Migration and social networking of women domestics in Delhi. Economic and Political Weekly, 39(17), 1681-1688.

 

Author: Dr. John Kujur ([email protected])                                                                                                                                

Centre for Budget and Policy Studies                                                                                                

Bengaluru


[1] https://mines.gov.in/webportal/nationalmineralscenario